ଢେଙ୍କାନାଳ, ୧୮/୧୦: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଏ ସଂକ୍ରାନ୍ତୀୟ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଚାର ଚାଲିଥିବା ଆଦେଶରେ ଉଲ୍ଲେଖ ରହିଛି।
ମନୋଜ କୁମାର ମାଝୀ OAS-A(JB) ବର୍ଗର ଅଧିକାରୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମ, ୧୯୬୨ର ନିୟମ ୧୨(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ରାଜ୍ୟପାଳ ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିବା ଆଦେଶରେ ଦର୍ଶାଯାଇଛି।
ନିଲମ୍ବନ ଅବଧିରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। କମିଶନରଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏହି ସମୟରେ ଓଡ଼ିଶା ସର୍ଭିସ୍ କୋଡ୍ର ନିୟମ ୯୦ ଅନୁଯାୟୀ ସେ ଜୀବିକା ନିର୍ବାହ ଭତ୍ତା ପାଇବାକୁ ହକ୍ଦାର ହେବେ।
ଅନ୍ୟପକ୍ଷରେ, ଏହି ନିଲମ୍ବନ ଆଦେଶର ନକଲ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଆଦେଶର ନକଲ ପ୍ରଦାନ କରି ତାହାର ପ୍ରାପ୍ତି ସ୍ୱୀକାରପତ୍ର ତାରିଖ ସହ ଫେରସ୍ତ କରିବାକୁ କୁହାଯାଇଛି।
ଏଥିସହ ମନୋଜ କୁମାର ମାଝୀଙ୍କ ବିରୋଧରେ ଅଭିଯୋଗର ଖସଡ଼ା ଏବଂ ପ୍ରମାଣ ସମ୍ବନ୍ଧୀୟ ସ୍ମାରକପତ୍ର (Memo of Evidence) ପ୍ରସ୍ତୁତ କରି ସମ୍ପୃକ୍ତ ଦସ୍ତାବିଜ ସହ ଦାଖଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ତେବେ ତହସିଲଦାରଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନିଲମ୍ବନ କରାଯାଇଛି, ସେ ସମ୍ପର୍କରେ ଜାରି ହୋଇଥିବା ଆଦେଶରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ଅଭିଯୋଗର ବିବରଣୀ ଏବଂ ପରବର୍ତ୍ତୀ ଶୃଙ୍ଖଳାଗତ ପ୍ରକ୍ରିୟା ସମ୍ପର୍କରେ ଅଧିକ ତଥ୍ୟ ଆଗକୁ ସ୍ପଷ୍ଟ ହୋଇପାରେ।
