ଅସମ୍ପୂର୍ଣ୍ଣ ପୋଲ ପାଇଁ ଶବ ସତ୍କାରରେ ବାଧା, ଦଉଡି ବାନ୍ଧି ପ୍ରଖର ସ୍ରୋତ ପାର କଲେ ଗ୍ରାମବାସୀ

AI ଦ୍ୱାରା ପ୍ରସ୍ତୁତ ଫଟୋ

AI ଦ୍ୱାରା ପ୍ରସ୍ତୁତ ଫଟୋ

Advertisement

Angul News: ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନୂଆହତାପଞ୍ଚାୟତର ବାଲିସାହି ହରିଜନ ବସ୍ତିର ବାସିନ୍ଦା କାଳିଆ ଗୋଚ୍ଛାୟତ କିଛିଦିନ ଧରି ଅସୁସ୍ଥ ଥିବା ପରେ ଗତକାଲି ସକାଳେ ପରଲୋକ ଗମନ କରିଥିଲେ।ପରିବାର ଲୋକ ଓ ଗ୍ରାମବାସୀ ତାଙ୍କର ଶବ ସତ୍କାର ପାଇଁ ନୂଆହତା ଜାଲ ଗୁଟିଆ ଶ୍ମଶାନକୁ ନେଇଯାଉଥିବା ବେଳେ ଅସମ୍ପୂର୍ଣ୍ଣ ପୋଲ ଯୋଗୁଁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନୂତନ ଭାବେ ନିର୍ମାଣାଧୀନ ପୋଲଟି ଠିକ୍ ଭାବେ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନିକଟରେ ହୋଇଥିବା ଲଗାଣ ବର୍ଷାରେ ଏହାର କିଛି ଅଂଶ ଭାସିଯାଇଥିଲା। ଫଳରେ ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ଘଟଣା ସମୟରେ ଜୁରରେ ପ୍ରବଳ ପାଣି ସ୍ରୋତ ଚାଲିଥିବାରୁ ଶବ ସତ୍କାର କରିବା ପାଇଁ ଶ୍ମଶାନକୁ ପହଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଶେଷରେ ନିରୁପାୟ ହୋଇ ସ୍ଥାନୀୟ ଲୋକମାନେ ଦୁଇ ପାର୍ଶ୍ୱର ଗଛରେ ଦଉଡି ବାନ୍ଧି, ସେହି ଦଉଡିକୁ ଆଶ୍ରୟ କରି ପ୍ରଖର ପାଣି ସ୍ରୋତ ମଧ୍ୟରେ ଜୁର ପାର ହୋଇ ଶବ ସତ୍କାର କରିଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସମସ୍ୟାକୁ ପଦାକୁ ଆଣିଛି। ସରକାର ବିକାଶର କଥା କହୁଥିବା ବେଳେ ଏଭଳି ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକଙ୍କୁ ମୃତଦେହ ସତ୍କାର ପାଇଁ ମଧ୍ୟ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି। ତେଣୁ ସ୍ଥାନୀୟ ବିଧାୟକ, ପଞ୍ଚାୟତ ପ୍ରତିନିଧି, ସରପଞ୍ଚ ଓ ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ପୋଲ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *