Angul News ଅନୁଗୁଳ(ବ୍ୟୁରୋ ରିପୋର୍ଟ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ଛକାପଞ୍ଝା। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କିନ୍ତୁ ନିମନ୍ତ୍ରଣ ସତ୍ତ୍ୱେ ପୂର୍ବତନ ପୂର୍ତ୍ତ ସଚିବ ତଥା ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ନଳିନୀ ପ୍ରଧାନଙ୍କ ଗୋଷ୍ଠୀ ଏଥିରେ ଯୋଗଦେଇ ନାହାଁନ୍ତି । ନଳିନୀଙ୍କ ଗୋଷ୍ଠୀରେ ପୂର୍ବରୁ କିଶୋରନଗର ବ୍ଲକ୍ ଅଧ୍ୟକ୍ଷା ଓ ଆଠମଲ୍ଲିକ NAC ଅଧ୍ୟକ୍ଷା ଥିବାବେଳେ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ସାଏ ଗୋଷ୍ଠୀରେ ଥିଲେ। ଘଟଣାକ୍ରମରେ ନଳିନୀଙ୍କ ପତିଆରା ବୃଦ୍ଧି ପାଉଥିବା ଲକ୍ଷ କରି ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ ପଟ୍ଟ ପରିବର୍ତ୍ତନ କରିଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରି ତିନି ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଧାୟକ ଲୋକପ୍ରତିନିଧିଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ କରୁନାହାନ୍ତି ଓ ଫଳକରେ ନାଁ ମଧ୍ୟ ରହୁ ନଥିବା ଆଠମଲ୍ଲିକ NAC ଅଧ୍ୟକ୍ଷା ଆଶା କୁମାରୀ ସାହୁ ଅଭିଯୋଗ କରିଛନ୍ତି। ଗତ ବିଜୁ ଜୟନ୍ତୀରେ ମଧ୍ୟ ସମାନ ଢଙ୍ଗରେ ଉଭୟ ଗୋଷ୍ଠୀ ଦୁଇଟି ପୃଥକ ସଭା କରିଥିବା ଦେଖା ଯାଇଥିଲା।