Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାର ବିରୁଦ୍ଧରେ ଜନତାର ସ୍ୱରକୁ ଶାଣିତ କରି ବିଜେପି ସବୁ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ ବିଜେଡି ସରକାର ଏହାକୁ କିପରି ବାଟ ମାରଣା କରୁଛି ଏବଂ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି ତାହାକୁ ଲୋକଲୋଚନ କୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀରେ ଜିଲ୍ଲାର ବହୁ ସମସ୍ୟା ଉପରେ ଚର୍ଚ୍ଚା ଆଲୋଚନା ହେବା ସହ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ବିଜେପି ଲୋକଙ୍କ ସହିତ ଅଛି ଏବଂ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକରୁଛି ଏବଂ ଲୋକଙ୍କ ପାଇଁ ସଦାସର୍ବଦା ଲଢେଇ ଜାରି ରଖିଛି ବୋଲି କହିଥିଲେ। ମୋଦୀ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମରେ ଅନୁଗୁଳ ଜିଲ୍ଲା ସମେତ ଓଡିଶା ପ୍ରଦେଶକୁ ୧୫ ଲକ୍ଷ କୋଟି ଟଙ୍କାର ବିକାଶ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରିଛି ବୋଲି ଶ୍ରୀ ପାଣି ପ୍ରକାଶ କରିଥିଲେ। ରାଜ୍ୟ ବିଜେପିର ପ୍ରାକ୍ତନ ସଂଗଠନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ପ୍ରସାଦ ଶତପଥି ଯୋଗଦେଇ ସଂଗଠନ କୁ ତୃଣମୂଳ ସ୍ତରରେ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଡ଼ିଏମଏଫ ରେ ଦୁର୍ନୀତି, ବେକାରୀ ସମସ୍ୟା, କୃଷି କୃଷକର ସମସ୍ୟା, ମଣ୍ଡି ରେ ଚାଷୀମାନଙ୍କୁ କଟନୀ ଛଟନି କରି ବ୍ୟାପକ ଠକେଇ, ଆଇନ ଶୃଙ୍ଖଳା, ମହିଳା ଶିଶୁମାନଙ୍କ ଉପରେ ଅତ୍ୟାଚାର ଏଭଳି ୧୩ଟି ବିଷୟ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ।
ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଏବଂ ପ୍ରଭାତ ପ୍ରଧାନ ଏହି ରାଜନୈତିକ ଚିଠାକୁ ସମର୍ଥନ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ମୋଦୀ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗୁଳ ଜିଲ୍ଲା ପାଇଁ ବ୍ୟାପକ ବିକାଶ ମୂଳକ କାର୍ଯ୍ୟ ଉପରେ ମତ ରଖିବା ସହ ଧନ୍ୟବାଦ ଦେଇଥିଲେ। ମୋଦୀ ସରକାରଙ୍କ ର ଡ଼ିଏମଏଫ ଏବଂ ସି ଏସ ଆର ପାଣ୍ଠି ରୁ ହଜାର ହଜାର କୋଟି ଟଙ୍କାରେ ଅନୁଗୁଳ ଜିଲ୍ଲା ର ସବୁ କାର୍ଯ୍ୟ ହେଉଥିଲା ବେଳେ ଅପରପକ୍ଷେ ରାଜ୍ୟ ସରକାର ଜିଲ୍ଲା ପାଇଁ ଟଙ୍କାଟିଏ ଖର୍ଚ୍ଚ କରି ନାହାନ୍ତି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର, ସୁଦିପ ଗଡ଼ନାୟକ ପ୍ରମୁଖ ମଂଚାସୀନ ଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ସ୍ୱାଗତ ଭାଷଣ ଦେବାସହ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର ପ୍ରାରମ୍ଭ ରେ ଜିଲ୍ଲା ରୁ ମୃତାହତ ବ୍ୟକ୍ତି ଏବଂ କାର୍ଯ୍ୟକର୍ତା ଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିବା ସହ ନିରବ ପ୍ରାଥନା କରିଥିଲେ |ଉପ ସଭାପତି ଚୌଧୁରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ |ଅନୁଗୁଳ ଜିଲ୍ଲା ବିଜେପି ର ସମସ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି ପ୍ରଭାରୀ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।