Spread the love

ଅନୁଗୋଳ: ଭାରତ ତଥା ସାରା ବିଶ୍ୱର ପ୍ରଥମ ହସପିଟାଲ ଇନ ଟ୍ରେନରେ ଆଜି ଠାରୁ ଅନୁଗୋଳ ରେଲୱେ ଷ୍ଟେସନ ଠାରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀଙ୍କୁ ଚିକିତ୍ସା କରିବା ଏବଂ ଅସ୍ତ୍ରୋପଚାର କରିବା ବ୍ୟବସ୍ଥା ରହିଥିବାରୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହା ଯାଉଛି। ସମ୍ପୁର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ଯୋଗାଇ ଦିଆ ଯିବା ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଆସନ୍ତା ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ। ରେଳ ବିଭାଗ ତରଫରୁ ଯୋଗାଇ ଦିଆ ଯାଇଥିବା 7ଟି ବଗି ଥିବା ଟ୍ରେନ ଭିତରେ ୨ଟି ଅସ୍ତ୍ରୋପଚାର ବଗି ଅଛି। ଯେଉଁଠି ଆଖି, କାନ, ଗୋଡ଼, ହାତ ଓ ମହିଳାଙ୍କ ବିଭିନ୍ନ ରୋଗର ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ଯନ୍ତ୍ରପାତି ଅଛି। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡାକ୍ତରମାନେ ଆସି ଅସ୍ତ୍ରୋପଚାର କରୁଛନ୍ତି। ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ କରା ଯାଉଛି। ଟ୍ରେନ ଗୋଟିଏ ସ୍ଥାନରେ ପହଞ୍ଚିବା ପରେ ସଂସ୍ଥାର ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ିରେ ଯାଇ ଗୁରୁତର ରୋଗୀ ମାନଙ୍କୁ ଟ୍ରେନ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା କରିଛନ୍ତି । ସେହିପରି ଗୋଟିଏ ଲେଖାଏଁ ବଗିରେ ଦାନ୍ତ ସମ୍ପର୍କୀୟ ରୋଗର ଚିକିତ୍ସାଳୟ, ମହିଳା ଓ ପ୍ରସୂତି ରୋଗର ଚିକିତ୍ସାଳୟ, ପରୀକ୍ଷାଗାର, ଆଉଟ ଡୋର ଆଦି ରହିଛି। ତେଣୁ ନିଶ୍ଚିତ ଭାବେ ଏହା ସାଧାରଣ ତଥା ଗରିବ ରୋଗୀଙ୍କ ପାଇଁ ଉପଯୋଗୀ ହୋଇ ପାରିବ ବୋଲି ଆଶା କରା ଯାଉଛି। ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ , ଆଦିତ୍ୟ ବିର୍ଲା ଗ୍ରୁପ ଓ ରେଳବିଭାଗ ସହ ସ୍ଥାନୀୟ ଜିଲା ପ୍ରଶାସନ ଆନୁକୂଲ୍ୟରେ ଆରମ୍ଭ ଏହି ସ୍ୱାସ୍ଥ୍ୟ ସେବା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକ ଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *