ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଉଦୟପୁର ନବସଙ୍କଳ୍ପ ଶିବିର ନିଷ୍ପତି ଅନୁଯାୟୀ ଆସନ୍ତା ଅଗଷ୍ଟ ୯ ତାରିଖରୁ ଭାରତ ବର୍ଷର ସମସ୍ତ ଜିଲ୍ଲାରେ କଂଗ୍ରେସ ତରଫରୁ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ସ୍ବାଧୀନତାର ଗୌରବମୟ ଯାତ୍ରା ଅବସରରେ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେବ । ଏଣୁ ଅନୁଗୋଳ ଜିଲ୍ଲାରେ ମଧ୍ୟ ଏହାକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଭାରୀ ଭାବେ ଜୟନ୍ତ କୁମାର ମହାନ୍ତି ଯୋଗଦେଇ ଆଗାମୀ ଅଗଷ୍ଟ ନଅ ତାରିଖରୁ ଚଉଦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀମାନଙ୍କ ସହଯୋଗ କାମନା କରିଥିଲେ। ସ୍ବାଧୀନତାର ୭୫ବର୍ଷ ପାଳନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ଏଭଳି ପଦକ୍ଷେପ ନେଇ ଥିବାରୁ ଜିଲ୍ଲା କଂଗ୍ରେସ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବ୍ଲକ ସଭାପତି ଓ ବିଗତ ବିଧାନସଭା ପ୍ରାର୍ଥୀଙ୍କ ମିଳିତ ନେତୃତ୍ୱରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଦଯାତ୍ରାକୁ ସଫଳ କରିବା ପାଇଁ ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରିଥିଲେ ଓ ତାଙ୍କରି ତତ୍ବାବଧାନରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଓ ଛାମୁଆ ସଙ୍ଗଠନମାନଙ୍କ ସହାୟତାରେ ଉକ୍ତ ପଦଯାତ୍ରା ସମ୍ପର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ସମସ୍ତ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା, ଛାମୁଆ ସଂଗଠନର ସଭାପତି, ସମସ୍ତ ସେଲର ଅଧ୍ୟକ୍ଷ, ସମସ୍ତ ବ୍ଲକ କଂଗ୍ରେସ, ନଗର କଂଗ୍ରେସ ସଭାପତିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବହୁ ବରିଷ୍ଠ କଂଗ୍ରେସ ନେତା, ଶତାଧିକ ଛାତ୍ର, ଯୁବ, ମହିଳା ଓ ସେବାଦଳ କର୍ମୀ ଯୋଗ ଦେଇଥିଲେ।