Spread the love

ଦେଶ ବିଭାଜନ ପରେ ପାକିସ୍ଥାନରୁ ଲୁଧିଆନା ଚାଲି ଆସିଥିଲେ ମୁଞ୍ଜାଲ ୪ ଭାଇ । ଜୀବିକା ପାଇଁ ସେମାନେ ରାସ୍ତା କଡ଼ରେ ବିକୁଥିଲେ ସାଇକେଲ ଉପକରଣ । ବିଭିନ୍ନ ଜାଗାରୁ କିଣି ଆଣି ବିକ୍ରି କରୁଥିବା ବେଳେ ମିଳୁଥିବା ଲାଭରେ ଚାଲୁଥିଲା ଘର । ୧୯୫୬ ମସିହାରେ ୫୦ ହଜାର ଟଙ୍କା ଉଧାର ଆଣି ସାଇକେଲ ପାର୍ଟସ ତିଆରି ଆରମ୍ଭ କଲେ ସତ୍ୟାନନ୍ଦ ମୁଞ୍ଜାଲ ,ଓଁ ପ୍ରକାଶ,ବ୍ରଜମୋହନ ଲାଲ ମୁଞ୍ଜାଲ ଦୟାନନ୍ଦ ଓ ବହାଦୁର ଚନ୍ଦ ମୁଞ୍ଜାଳ । କ୍ରମେ ସାଇକେଲ ତିଆରି କରି ବିକ୍ରି କରିବାର ନିଷ୍ପତ୍ତି ନିଆଗଲା । ଏହାର ନାଁ ଦିଆଗଲା ହିରୋ ।୧୯୫୬ ମସିହାରେ ଦିନକୁ ୨୫ ସାଇକେଲ ତିଆରି କରୁଥିବା କମ୍ପାନୀ ମାତ୍ର ୧୦ ବର୍ଷ ପରେ ୪ ଗୁଣା ଉତ୍ପାଦନରେ ସକ୍ଷମ ହେଲା ।
୧୯୮୬ ମସିହାରେ ବର୍ଷକୁ ୧୦ ଲକ୍ଷ ଉତ୍ପାଦନ କରି ଗିନିଜ ବୁକ ଅଫ ରେକର୍ଡରେ ନିଜକୁ ସାମିଲ କରିଥିଲା ହିରୋ ।
୪ ଭାଇ ଏହାର ପରିଚାଳନା ଦାୟିତ୍ୱରେ ଥିଲେ । ଏହାର ପରିଚାଳନା ଏତେ ଉଚ୍ଚ କୋଟିର ଥିଲା ଯେ ଲଣ୍ଡନ ସ୍କୁଲ ଅଫ ବିଜନେସ ଏହାର ପରିଚାଳନାକୁ ନିଜ ପାଠ୍ୟକ୍ରମରେ ଯୋଡିଥିଲା ।
ଥରେ ଟ୍ରକ ଭର୍ତ୍ତି ଏକ ହିରୋ ସାଇକେଲ ଡିଲର ନିକଟରେ ପହଂଚିବା ପୂର୍ବରୁ ନିଆଁଲାଗି ଜଳିଯାଇଥିଲା । ମୁଞ୍ଜାଲ ବ୍ରଦର୍ସଙ୍କ ନିକଟରେ ଏ କଥା ପହଁଚିଲା । ଦୟାନନ୍ଦ ମୁଞ୍ଜାଲ ଶୁଣିବା ମାତ୍ରକେ ସାଇକେଲ କ୍ଷତି ନ ପଚାରି ପଚାରିଲେ ଡ୍ରାଇଭର କିପରି ଅଛନ୍ତି । ତାଙ୍କ ପରିବାର ନିକଟରେ କିଭଳି ପହଂଚିବ ଆମ ଶୋକ ଓ ଅନୁକମ୍ପା । ଡିଲର ନିକଟକୁ ତୁରନ୍ତ ଆଉ ଏକ ଗାଡ଼ିରେ ସାଇକେଲ ପଠାଅ । କିଛି ଭୁଲ ନକରି ଡିଲର କାହିଁକି ସହିବ କ୍ଷତି ।
ଥରେ କର୍ମଚାରୀ ମାନେ ଆନ୍ଦୋଳନ ଡାକରା ଦେଇଥିଲେ । ଉତ୍ପାଦନ ଠପ ହେବା ପୂର୍ବରୁ ଏହାର ମାଲିକ ମାନଙ୍କୁ କର୍ମଚାରୀ ବେଶରେ ଦେଖିବାକୁ ମିଳିଲା । ପ୍ରତିକ୍ରିୟା ଦେଇ ଏହାର ଅନ୍ୟତମ ମାଲିକ ପଙ୍କଜ ମୁଞ୍ଜାଳ କହିଲେ ଉତ୍ପାଦନ ବନ୍ଦହେଲେ କ୍ଷତିକୁ ସହିବାକୁ ଆମେ ପ୍ରସ୍ତୁତ କିନ୍ତୁ ଯେଉଁ ବାପା ମାନେ ନିଜ ପୁଅର ଜନ୍ମ ଦିନରେ ସାଇକେଲ ଟିଏ ଉପହାର ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେମାନଙ୍କ ହୃଦୟ ଭାଙ୍ଗି ଯାଉ ବୋଲି ଆମେ ଚାହୁଁନାହୁଁ । ପରେ ପରେ କର୍ମଚାରୀ ମାନେ ଆନ୍ଦୋଳନର କେତେକ ସର୍ତ୍ତକୁ କୋହଳ କରିଥିବା ବେଳେ ମାଲିକ ୩୦ ପ୍ରତିଶତ ବଢାଇଥିଲେ ମଜୁରୀ । ଏଭଳି ବିଚାର ଭାରତରେ ହିରୋର ବଜାର ଚାହିଦା କେବଳ ବଢ଼ାଇନି ବରଂ ଡିଲର ଏଜେଣ୍ଟ ଓ କର୍ମଚାରୀଙ୍କ ହୃଦୟକୁ ଜୟ କରିଛି ।
ଆଜି ବି ସଡ଼କରେ ଦୌଡୁଛି ହିରୋ । ୭୫୦୦ ଆଉଟଲେଟ ସହିତ ୩୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଇଛି । ୧୪ କୋଟି ସାଇକେଲ ଉତ୍ପାଦନ କରି ସ୍ୱାସ୍ଥ୍ୟ ,ସୁରକ୍ଷା ଓ ବାଲ୍ୟସ୍ମୃତିରେ ବଡ଼ ଯୋଗଦାନ ଦେଇଚାଲିଛି ।

Leave a Reply

Your email address will not be published. Required fields are marked *