Spread the love

ଅନୁଗୁଳ, (ସୁବ୍ରତ ପଟନାୟକ): ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ ଠାରୁ ପଞ୍ଚମହଲା ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ରାଜପଥରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ପାଲଟିଯାଇଛି। ଏହାଦ୍ୱାରା ଜନଜୀବନ ହାନି ହେଉଛି।ଏହି ରାଜପଥର ମରାମତି ପାଇଁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ବାରମ୍ବାର ଦାବି କରୁଥିବା ବେଳେ ଅପରପକ୍ଷରେ ଶାସନ ଓ ପ୍ରଶାସନ ଏନ ଏଚ ଏ ଆଇ ବିଭାଗ ସାଙ୍ଗରେ ବାରମ୍ବାର ରିଭ୍ୟୁ ମିଟିଂ କରିଚାଲିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ରୋଡ଼ କେଵ ହେବ ଏବଂ କେଉଁ ବିଭାଗ ଏହାର କାର୍ଯ୍ୟ ହାତକୁ ନେବ ତାହା ସ୍ପଷ୍ଟ ହୋଇନାହିଁ।ଏନ ଏଚ ଏ ଏଇର ଖାମଖିଆଲି ନୀତି ଏବଂ ରାଜନେତା ମାନଙ୍କର ଦାୟିତ୍ୱହୀନତା ପାଇଁ ଉକ୍ତ ରୋଡ଼ରେ ବରମ୍ବାର ଧନଜୀବନ ନଷ୍ଟ ହେଉଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଜାତୀୟ ରାଜପଥ ୫୫ (ପୂର୍ବ ୪୨) କଟକସ୍ଥିତ ମଙ୍ଗୁଳି ଠାରୁ ସମ୍ବଲପୁରକୁ ସଂଯୋଗ କରୁଛି | ଏହି ରାଜପଥର ୨୨ କିମି ରାସ୍ତା ଅନୁଗୁଳ ସହର ମଧ୍ୟ ଦେଇ ଯାଇଛି | ଏଜି ରାସ୍ତା ଦୀର୍ଘ ବର୍ଷ ଧରି ମରାମତି ନହେବାରୁ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି।ଏହି ୨୨ କିମି ରାସ୍ତା ଏନ ଏଚ ଏ ଆଇ ଅଧୀନରେ ଅଛି।୫୫ ନମ୍ବର ଜାତୀୟ ରାଜପଥ ପ୍ରସସ୍ତି କରଣ ଓ ଅନୁଗୁଳ ରେ ବାଇପାସ ନିର୍ମାଣ ହେବା ସାଙ୍ଗରେ ଅନୁଗୁଳ ଟାଉନ ଭିତରେ ଥିବା ରାଜପଥର ମରାମତି ଦାୟିତ୍ୱ ଏନ ଏଚ ଏ ଆଇ ଅଧୀନରେ। କିନ୍ତୁ ଏହି କାର୍ଯ୍ୟ ନହେବାରୁ ଅନୁଗୁଳ ଦେଇ ଯାଉଥିବା ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଅନୁଗୁଳ ଟାଉନ୍ ଭିତରେ ଟ୍ରାଫିକ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବଆଁରପାଳ ଠାରୁ ଏକ ବାଇପାସ୍ ରାସ୍ତା ରନ୍ତଲେଇ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି | ଏହି ବାଇପାସ୍ ନିର୍ମାଣ ପାଇଁ, ହାଇଦ୍ରାବାଦର ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍ ଘୋରାଈ ସଂସ୍ଥା ୨୦୧୮ ମାର୍ଚ୍ଚ ୧୨ ତାରିଖରେ କାର୍ଯ୍ୟ ହାତକୁ ନେଇଥିଲା | ସମୁଦାୟ ୩୦ ମାସ ମଧ୍ୟରେ ୫୨୯ କୋଟି ଟଙ୍କା ବ୍ୟୟରେ ୫୧.୮୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା | କିନ୍ତୁ ଏହି ବାଇପାସ ନିର୍ଦ୍ଧାରିତ ସମୟରୁ ବିଳମ୍ବ ହେବାରେ ଲାଗିଛି।
ପ୍ରାୟ ୧୫ ମାସ ବିଳମ୍ବ ସହିତ, ଏହି ପ୍ରକଳ୍ପର କେବଳ ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି | ଏହି ପ୍ରକଳ୍ପର ଗାୟତ୍ରୀ କମ୍ପାନୀର ମ୍ୟାନେଜର ଶ୍ରୀ ଭେଙ୍କଟେଶ ତୁମ୍ପଲ ନିଜର ପ୍ରତିକ୍ରିୟା ଦେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇନାହିଁ ବୋଲି କହିଛନ୍ତି। ସଡକ ନିର୍ମାଣ ପାଇଁ ଆମକୁ ପ୍ରାୟ ୮୦ ପ୍ରତିଶତ ଜମି ମିଳିଛି, ଯାହାକୁ ଆମେ ଜୁନ୍ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛୁ | ପ୍ରାପ୍ତ ସୂଚନା ଅନୁଯାୟୀ, ବାଇପାସ୍ ରାସ୍ତା ଶେଷ ହେବା ପର୍ଯ୍ୟନ୍ତ ଏନ ଏଚ ଏ ଆଇ କୁ ପୁରୁଣା ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଥିଲା | କିନ୍ତୁ ଗତ ୩ ବର୍ଷ ଧରି ସଠିକ୍ ମରାମତି ହୋଇନଥିବାରୁ ଏହି ୨୨ କିଲୋମିଟର ରାସ୍ତାର ଅବସ୍ଥା ଖରାପ ହୋଇଯାଇଛି। ସମଗ୍ର ରାସ୍ତାର ଅବସ୍ଥା ଏପରି ଯେ ୨୨ କିଲୋମିଟର ଯାତ୍ରା କରିବାକୁ ୨ ଘଣ୍ଟା ସମୟ ଲାଗିଥାଏ | ଏଭଳି ପରିସ୍ଥିତିରେ ଏନ ଏଚ ଏ ଆଇ କୁ ପୁରୁଣା ରାସ୍ତା ପାଇଁ ଏକକାଳୀନ ମରାମତି ଯୋଜନା ମାଧ୍ୟମରେ ୨୦୨୧ ମସିହା ନଭେମ୍ବର ୧୭ ତାରିଖରେ ଅନୁଗୁଳ ପି ଡବ୍ଲୁ ଡି ବିଭାଗକୁ ୫.୭୮ କୋଟି ଟଙ୍କା ଦେବାକୁ କୁହାଯାଇଛି। କେବଳ ମନୋନୀତ ସ୍ଥାନ ଯଥା ( ସିପିପି ଛକ, ମାରୁତି ସୋରୁମ ଛକ,କୁଲାଡ଼ ଛକ,କାରଗିଲ ପେଟ୍ରୋଲ ପମ୍ପ ସାମ୍ନା,ହୁଲୁରିସିଂଘା ଛକ) ୫.୩ କିଲୋମିଟର ରାସ୍ତାକୁ ମରାମତି କରିବାକୁ ଏହି ଅର୍ଥ ଦିଆଯାଇଥିବା ଜଣାପଡିଛି | ମରାମତି କାର୍ଯ୍ୟ ପାଇଁ ଏନ ଏଚ ଏ ଏଇ ଦେଇଥିବା କମ ପରିମାଣର ଅର୍ଥ ଦ୍ୱାରା ୫ ଟି ମରାମତି ସ୍ଥାନର କାର୍ଯ୍ୟ ହୋଇପାରିବ ନାହିଁ ବୋଲି ପି ଡବ୍ଲୁ ଡି ସ୍ପଷ୍ଟ ମନା କରିଦେଇଛି।
ଏହି ପରିପ୍ରେକ୍ଷୀରେ, ଅନୁଗୁଳ ପିଡବ୍ଲ୍ୟୁଡି ବିଭାଗର ନିର୍ବାହ ଇଞ୍ଜିନିୟର ଶ୍ରୀ ସୁଦର୍ଶନ ଶେଖର ନାୟକଙ୍କ କହିବା ଅନୁଯାୟୀ ଏନ ଏଚ ଏ ଏଇ ଯେଉଁ ଟଙ୍କା ଦେବକୁ ଚାହୁଁଛି, ସେହି ଆଧାରରେ ସେହି ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି ହେବ ବୋଲି ଏଥିରେ ଅଛି କୁହାଯାଇ ନାହିଁ । ଏନ ଏଚ ଏ ଆଇ ପି ଡବ୍ଲୁ ଡି ଦ୍ୱାରା କରିବାକୁ ଚାହୁଁଥିବା ୫ ଟି ସ୍ଥାନର ରାସ୍ତାର ମରାମତି ପାଇଁ ପ୍ରାୟ ୧୯ କୋଟି ୯୨ ଲକ୍ଷ୍ୟ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି |ଏହି କାରଣରୁ ୫ କୋଟି ୭୮ ଲକ୍ଷ୍ୟ ଟଙ୍କା ପି ଡବ୍ଲୁ ଡି ଏନ ଏଚ ଏ ଆଇ ଠାରୁ ଗ୍ରହଣ କରିନାହିଁ। ଏହି ପରିସ୍ଥିତିରେ, ଏନ ଏଚ ଏ ଆଇ ନିଜେ ଏହାକୁ ମରାମତି କରିବା ଉଚିତ ଏହାଛଡା ଉକ୍ତ ରାସ୍ତାକୁ ଯେଉଁ ପରିସ୍ଥିତିରେ ଏନ ଏଚ ଏ ଆଇ ନେଇଥିଲା ସେହି ପରିସ୍ଥିତିରେ ପି ଡବ୍ଲୁ ଡି କୁ ହସ୍ତାନ୍ତର କରିବା ନିୟମ ଅଛି।ଏନ ଏଚ ଏ ଆଇ ର (ପି ଡି) ଶ୍ରୀନିବାସ ରାଓଙ୍କୁ ଯୋଗାଯୋଗ କରିବାରୁ ସେ ମିଟିଙ୍ଗ ଅଛି କହି କୌଣସି ଉତ୍ତର ଦେଇନଥିଲେ।ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ରାସ୍ତାର ମରାମତି କେବେ ହେବ ଓ କିଏ କରିବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ସ୍ଥଳେ ଲୋକଙ୍କ ପାଖରେ ପ୍ରକୃତ ସତ୍ୟ ପହଞ୍ଚି ପାରୁନାହିଁ।ଲୋକ ଦେଖାଣିଆ ଶାସନ ଓ ପ୍ରଶାସନ ବାରମ୍ବାର ରିଭିୟୁ ମିଟିଙ୍ଗ କରି ସାଧାରଣ ଲୋକଙ୍କ ସୁରକ୍ଷାକୁ ଅଣଦେଖା କରୁଛନ୍ତି।
ଅନୁଗୁଳ ଘରୋଇ ବସ ମାଲିକସଂଘର ସଭାପତି ମାନସ ରଞ୍ଜନ ସାମଲଙ୍କ କହିବା ଅନୁଯାୟୀ ଅନୁଗୁଳ ଠାରୁ ବଅଁରପାଳ ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାରୁ ବସ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବସ କଟକ ଓ ଭୁବନେଶ୍ୱର ପହଞ୍ଚିବାରେ ବିଳମ୍ବ ହେଉଛି।ପ୍ରାୟଦିନ ଦିନ ବସ ଗୁଡିକ ବାଟରେ ବ୍ରେକ ଡାଉନ ହେଉଛି।ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ଆହ୍ବାନରେ ଏହି ରୁଟର ସମସ୍ତ ଘରୋଇ ବସ ଆସନ୍ତା ୨୩ ତାରିଖରେ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁଙ୍କ କହିବା ଅନୁଯାୟୀ ଅନୁଗୁଳ ଠାରୁ ବଆଁରପାଳ ରାସ୍ତାର ଶୋଚନୀୟ ଅବସ୍ଥା ଦ୍ୱାରା ବହୁ ସଂଖ୍ୟାରେ ଧନ ଜୀବନ ନଷ୍ଟ ହେଉଛି।ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର ତୁରନ୍ତ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାର ମରାମତି କରିବା ଉଚିତ।

Leave a Reply

Your email address will not be published. Required fields are marked *