Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଅଭୟାରଣ୍ଯର କଟରଂଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ଯାକେଜ୍ ତାଲିକାଭୂକ୍ତ ନ ଥିବା ନେଇ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଛନ୍ତି । ବିଭିନ୍ନ ସମୟରେ ନିଜର ଦାବୀ ନେଇ ଅଭିଯୋଗ କରିଆସୁଥିବା ୨୯ ପରିବାର ଆଜି ଆମରଣ ଅନଶନରେ ବସିଥିଲେ । କ୍ଷତିଗ୍ରସ୍ତ ଏହି ୨୯ ପରିବାର ପ୍ରଥମେ ମା ବୁଢୀ ଠାକୁରାଣୀଂକୁ ଦର୍ଶନ କରି ଏକ ଶୋଭାଯାତ୍ରାରେ ସାତକୋଶିଆ ବନଖଣ୍ଡ କାର୍ଯ୍ଯାଳୟ ସମ୍ମୁଖକୁ ଆସିଥିଲେ । କାର୍ଯ୍ଯାଳୟ ସମ୍ମୁଖରେ କ୍ଷତିଗ୍ରସ୍ତ ମହିଳା ଓ ପୁରୁଷ ସମେତ ଟିକରପଡା ସରପଂଚ ସୌମ୍ଯରଂଜନ ସାହୁ, ପୂର୍ବତ୍ତନ ସରପଂଚ ତ୍ରୀନାଥ ସାହୁ ଏବଂ ସ୍ଥାନୀୟ ଗ୍ରାମବାସୀ ୩୦ ଜଣରୁ ଉର୍ଦ୍ଧ୍ବ ଅନଶନରେ ବସିଥିଲେ ।

କ୍ଷତିଗ୍ରସ୍ତ ଗ୍ରାମବାସୀ କଟରଂଗ ଗ୍ରାମର ମୂଳପ୍ରଜା ଏବଂ ସ୍ଥାୟୀ ବାସିନ୍ଦା ଅଟନ୍ତି । ବିଭିନ୍ନ ସମୟରେ ଗୁଜୁରାଣ ପାଇଁ ବାହାରକୁ ଦାଦନ କାମ କରିବାକୁ ଯାଇଥାନ୍ତି । ଅଭୟାରଣ୍ଯରୁ ଗ୍ରାମ ବିସ୍ଥାପନ ନେଇ ସରକାରୀ ସ୍ତରରେ ସ୍ବଚ୍ଛତା ଅବଲମ୍ବନ କରାନଯିବା ନେଇ ଏହି ୨୯ ପରିବାର ପ୍ଯାକେଜ୍ ତାଲିକାରୁ ବଂଚିତ ହୋଇଥିଲେ । ଗତ ଅଗଷ୍ଟ ମାସ ୯ ତାରିଖରେ ଏକ ଆନ୍ଦୋଳନ କରିଥିଲେ ମଧ୍ଯ ତାହାର ସୁଫଳ ପାଇପାରିନଥିଲେ । ଅନୁଗୋଳ ଉପଜିଲ୍ଲାପାଳଂକ ସଭାପତିତ୍ବରେ ଗତ ୫/୦୯/୨୦୨୨ ତାରିଖ ରେ ଏକ ସମନ୍ବୟ ସଭାରେ ଗ୍ରାମରେ ପୂନର୍ବାର ସର୍ଭେ ଯୁଗ୍ମ କମିଟି ଦ୍ବାରା କରାଯିବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକ୍ରମେ ଗତ ୧୩/୦୮/୨୦୨୨ ରେ ଯୁଗ୍ମ କମିଟି ଗାଁ କୁ ଯାଇ କାଗଜପତ୍ର ଯାଂଚ୍ କରିବା ସହିତ ଘରଦ୍ବାର ବୁଲି ସର୍ଭେ କରିଥିଲେ । ଯୁଗ୍ମ କମିଟିର ରିପୋର୍ଟ ପୁର୍ବରୁ ବନ ବିଭାଗ ଦ୍ବାରା ଗ୍ରାମର ସମସ୍ତ ଘରଦ୍ବାର ଭାଂଗି ଦିଆଯାଇଥିଲା । କ୍ଷତିଗ୍ରସ୍ତ ଗ୍ରାମବାସୀ ବନ ବିଭାଗର ଏତାଦୃଶ୍ଯ କାର୍ଯ୍ଯରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଡିଏଫ୍ଓ ଏବଂ ପୋଲିସ୍ ପ୍ରଶାସନକୁ ଲିଖିତ ଜଣାଇଥିଲେ ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରଂକ ଉଦ୍ଧେଶ୍ଯରେ ସ୍ମାରକ ପତ୍ର ପ୍ରଦାନ
ତହସିଲଦାର୍, ଡିଏଫ୍ଓ ଓ ଅତିରିକ୍ତ ତହସିଲଦାର୍ ଅନଶନ ଭଂଗ କଲେ
ବିଚାର କରାଯିବା ପ୍ରତିଶୁତି ପରେ କ୍ଷତିଗ୍ରସ୍ତ ଗ୍ରାମବାସୀ ଅନଶନ ଭଂଗ କଲେ
ଦାବୀ ପୂରଣ ନହେଲେ ଡିସେମ୍ବର ୬ ରେ ପୂନର୍ବାର ଆନ୍ଦୋଳନ ନିଷ୍ପତ୍ତି

କ୍ଷତିଗ୍ରସ୍ତ ଗ୍ରାମବାସୀ ପ୍ଯାକେଜ୍ ପାଇ ନ ଥିବା ଏବଂ ଜମିବାଡିର କ୍ଷତିପୂରଣ ପାଇବା ପୂର୍ବରୁ ଘରଦ୍ବାର ଭାଂଗିବାକୁ କ୍ଷୁବଧ ହୋଇଥିଲେ । ଗ୍ରାମବାସୀ ତାଂକ ଦାବୀ ପୂରଣ ନେଇ ଆଜି ଆମରଣ ଅନଶନ ଆରମ୍ଭ କରିଥିଲେ । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଂକ ଉଦ୍ଧେଶ୍ଯରେ ଅନୁଗୋଳ ଜିଲ୍ଲାପାଳଂକ ଜରିଆରେ ଏକ ସ୍ମାରକପତ୍ର ଅନୁଗୋଳ ତହସିଲଦାର୍ ବିମଳ କୁମାର ଲେଂକାଂକୁ ପ୍ରଦାନ କରିଥିଲେ । ଗ୍ରାମବାସୀ ଏହି ସ୍ମାରକପତ୍ରରେ ଅଭୟାରଣ୍ଯରୁ ବିସ୍ଥାପନ ନେଇ ଆଇନ୍ ଓ ନିୟମାବଳୀକୁ ପାଳନ କରାଯାଇନଥିବାର ୨୦ଟି ଦଫାରେ ଜଣାଇଥିଲେ । ଗ୍ରାମ ପଂଚାୟତ ଆଇନ୍ ରେ ଥିବା ଗ୍ରାମସଭା ବ୍ଯବସ୍ଥାକୁ ବନ ବିଭାଗ ପାଳନ କରିନଥିବା , ଜଂଗଲ ଅଧିକାର ଆଇନ୍ ବଳରେ ଗ୍ରାମରେ ଜଂଗଲ ଅଧିକାର କମିଟି ଗଠନ ନହୋଇ ବ୍ଯକ୍ତିଗତ ଜଂଗଲ ଅଧିକାର ଓ ଗୋଷ୍ଠିଗତ ଜଂଗଲ ଅଧିକାରକୁ ସ୍ବୀକୃତି ଦିଆଯାଇନଥିବା , ଜମି ଅଧିଗ୍ରହଣ ପୁନଃବସତି ଓ ଥଇଥାନ ଆଇନର ବ୍ଯବସ୍ଥାରେ ଗ୍ରାମରେ ସାମାଜିକ ପ୍ରଭାବ ଆକଳନ ନେଇ ସର୍ଭେ ଓ ଅଧ୍ଯୟନ କରାଯାଇନଥିବା , ବନ୍ଯଜନ୍ତୁ ସଂରକ୍ଷଣ ଆଇନର ୩୮(ଭି) ଧାରାର ୫ ଉପଧାରା ଏବଂ ଜାତୀୟ ବ୍ଯାଘ୍ର ସଂରକ୍ଷଣ କର୍ତ୍ତୂପକ୍ଷଂକ ଗାଇଡଲାଇନ୍ କୁ ପାଳନ କରାଯାଇନଥିବା ନେଇ ସ୍ମାରକପତ୍ର ରେ ୨୦ ଦଫାର ଅଭିଯୋଗ ଦର୍ଶାଯାଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ଯର ବିଷୟ ବନ ବିଭାଗ ଗ୍ରାମ ବିସ୍ଥାପନ ନେଇ ସଠିକ୍ ନୋଟିସ୍ ଜାରୀ , ବିଭିନ୍ନ ସମ୍ବାଦ ପତ୍ରରେ ପରିବେଷଣ ଓ ୱେବସାଇଟ୍ ରେ କୌଣସି ସୁଚନା ଦେଇନଥିଲା । ଅନ୍ଯ ପକ୍ଷରେ ବନ ବିଭାଗ ପକ୍ଷରୁ ନିୟୋଜିତ କର୍ମଚାରୀ ମାନେ ମଧ୍ଯ ବିସ୍ଥାପନ ନୀତି ଓ ଗାଇଡଲାଇନ୍ କୁ ସଠିକ୍ ଢଂଗରେ ନ ବୁଝି ତରବରିଆ ଭାବେ ପାଳନ କରୁଥିଲେ । କ୍ଷତିଗ୍ରସ୍ତ ଗ୍ରାମବାସୀଂକ ଅନଶନ ସ୍ଥଳକୁ ଅନୁଗୋଳ ତହସିଲଦାର୍ ବିମଳ କୁମାର ଲେଂକା, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହ ପହଂଚି ଗ୍ରାମବାସୀଂକୁ ବୁଝାସୁଝା କରିଥିଲେ । ଗ୍ରାମବାସୀଂକର ଦାବୀ ସଂପର୍କରେ ପ୍ରଶାସନ ଅବଗତ ଥିବା ଏବଂ କମିଟି ମାଧ୍ଯମରେ ବିଚାର କରାଯିବାକୁ ପ୍ରତିଶୁତି ଦେଇଥିଲେ । ଯୁଗ୍ମ କମିଟି ଏକ ରିପୋର୍ଟ ଦେଇଥିବା ଅଫିସର୍ ମାନେ ପ୍ରକାଶ କରିଥିଲେ । ଗ୍ରାମବାସୀ ପ୍ରଶାସନିକ ଅଧିକାରୀଂକ ଠାରୁ ପାଣି ପିଇବା ପରେ ଅନଶନ ଭଂଗ କରିଥିଲେ ।

ସରକାରୀ ସ୍ତରରେ ଗ୍ରାମବାସୀଂକୁ ୧ ମାସ ମଧ୍ଯରେ କ୍ଷତିପୂରଣ ପ୍ଯାକେଜ୍ ନ ଦେଲେ ଗ୍ରାମବାସୀ ବାଧ୍ଯ ହୋଇ ଡିସେମ୍ବର ୬ ତାରିଖରେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଥିବା ଜଣାଯାଇଛି । ଆଜି ଆନ୍ଦୋଳନରେ ପୁର୍ବତନ ସରପଂଚ ତ୍ରୀନାଥ ସାହୁ ନେତୃତ୍ବ ନେଇଥିବା ବେଳେ ଆଇନଗତ ସହାୟତା ଆଇନଜୀବି ପ୍ରସନ୍ନ କୁମାର ବେହେରା ଦେଇଥିଲେ । ଏହି ଆନ୍ଦୋଳନରେ ଗ୍ରାମବାସୀ ପକ୍ଷରୁ ପଲଉ ନାଏକ, ରୀତା ପ୍ରଧାନ, ସୁକାନ୍ତି ଦାସ, ମୋହନ ନାଏକ, ନାରଣ ଦାସ , ବରୁଣ ଦାସ, ବିରଂଚି ବେହେରା, ଅଂଜନା ନାଏକ, ଅଂଜଳୀ ବେହେରା ପ୍ରମୂଖ ଆନ୍ଦୋଳନକୁ ତୀବ୍ରତ୍ତର କରାଇବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *