ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସକାଳ ୮ଟା ଠାରୁ ନାଲକୋ ଅଫିସର୍ ସଂଘର କର୍ମକର୍ତ୍ତାମାନେ ଏସ୍ଏଣ୍ଡପି କମ୍ପ୍ଲେକ୍ସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ ।ସଂଘ ଗତ ୨ ତାରିଖରେ ଇଡିଙ୍କୁ ପତ୍ର ଲେଖି ୮ ତାରିଖ ମଧ୍ୟରେ ଅଧିକାରୀଙ୍କ ବାକିଥିବା ଡିପିସି କରାନଗଲେ ୯ ତାରିଖ ସକାଳ ୧୦ ଟାରେ କଳା ବ୍ୟାଜ ପରିଧାନ ସହ ତାଙ୍କ ଅଫିସ୍ ରେ ଅନଶନରେ ବସିବାକୁ ସୂଚନା ଦେଇଥିଲା ।ମ୍ୟାନେଜମେଣ୍ଟକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଅଧିକାରୀଙ୍କ ଡିପିସି କରିବାରେ ଅହେତୁକ ବିଳମ୍ବ କରିବା ହେତୁ ସଂଘ ଏ ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି ।
ସୂଚନାଯୋଗ୍ୟ ଯେ, ଅଧିକାରୀଙ୍କ 2021 ଡିପିସି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ଅର୍ଥାତ୍ E4 ଗ୍ରେଡ ଠାରୁ ପରବର୍ତ୍ତୀ ଗ୍ରେଡ ଗୁଡ଼ିକ ପର୍ଯ୍ୟନ୍ତ ଡିପିସି ହୋଇନାହିଁ ।ସେହିପରି 2022 ଡିପିସି ମଧ୍ୟ କୌଣସି ଗ୍ରେଡ ପାଇଁ କରାଯାଇନାହିଁ ।ସେଥିପାଇଁ ସବୁ ଗ୍ରେଡ୍ ର ଅଧିକାରୀମାନେ ଗଭୀର ଭାବେ ଅସନ୍ତୁଷ୍ଟ ଅଛନ୍ତି । ଏକପକ୍ଷରେ ଅଧିକାରୀମାନେ କ୍ରମାଗତ ଭାବେ ଅବସର ନେଉଥିବାରୁ ବର୍ତ୍ତମାନ କାର୍ଯ୍ୟରତ ଅଧିକାରୀମାନେ ଅଧିକ କାର୍ଯ୍ୟବୋଝରେ ବହୁ କଷ୍ଟ ସ୍ବୀକାର କରି ପ୍ଲାଣ୍ଟ ଉତ୍ପାଦନ ଲକ୍ଷ୍ୟ ପୂରଣ କରୁଥିବାବେଳେ ଅପରପକ୍ଷରେ ସେମାନଙ୍କୁ ପଦୋନ୍ନତି ନ ଦେଇ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବା ସହିତ କ୍ରମାଗତ ଅବହେଳା କରିବା ଯୋଗୁଁ ଅଧିକାରୀମାନଙ୍କ ମଧ୍ୟରେ ଚରମ ଅସନ୍ତୋଷ ପ୍ରକାଶ ପାଇଛି ।୨୦୦୮ ମସିହା ପୂର୍ବରୁ ବର୍ଷକୁ ଦୁଇ ଥର ଡିପିସି ହେଉଥିବାବେଳେ ଗତ ଆଠ ବର୍ଷ ଧରି ବର୍ଷକୁ ଗୋଟିଏ ଡିପିସି ମଧ୍ୟ ଠିକ୍ ସମୟରେ ହେଉନାହିଁ ଯଦ୍ଦ୍ଵାରା ବହୁ ଅଧିକାରୀ ଘୋର ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।
ତେଣୁ ସଂଘର ଏ ପ୍ରକାର ନୀରବ ଆନ୍ଦୋଳନ ମ୍ୟାନେଜମେଣ୍ଟକୁ ଅଧିକ ସକ୍ରିୟ ଓ ସଜାଗ କରିବ ଏହା ନିଃସନ୍ଦେହ ।ସଂଘର ସଭାପତି ପ୍ରସନ୍ନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା, ଉପସଭାପତି ବନମାଳୀ ସେଠୀ ଓ ନିର୍ମଳ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ କିଶୋର କୁମାର ବେହେରା, ମୋଜେସ କେରକେଟା,ଗୌତମ ନାୟକ, ବନବାସୀ ନାୟକ, ପୀୟୂଷ ରଞ୍ଜନ ପତି,ଅଶୋକ ମୁଦୁଲି,କୈଳାଶ ସିଆଳ,କଲ୍ଲୋଳ ବାଲା, ବିଶ୍ଵାମିତ୍ର ଭାରତୀ,ପ୍ରକାଶ ସାହୁ, ଜଗଦୀଶ ମିଶ୍ର ଆଦି ଶତାଧିକ ଅଫିସର କଳାବ୍ୟାଜ ପରିଧାନପୂର୍ବକ ପ୍ରତିବାଦ ଧାରଣାରେ ବସିଛନ୍ତି ।ତତ୍ ସହିତ ପ୍ଲାଣ୍ଟରେ କର୍ଯ୍ୟକରୁଥିବା ଅନ୍ୟ ଅଧିକାରୀମାନେ ପ୍ଲାଣ୍ଟ କାର୍ଯ୍ୟ ବ୍ୟାହତ ନ କରି କଳାବ୍ୟାଜ ପରିଧାନପୂର୍ବକ ନୀରବ ପ୍ରତିବାଦ କରିଥିଲେ ।