Spread the love

ଅନୁଗୁଳ: ବିରୋଧ ,ନାରାବାଜି , ସ୍ଲୋଗାନ ଓ କଳା ପତାକା ପ୍ରଦର୍ଶନ ଭିତରେ ଆଜି ଶେଷ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା , ପ୍ରତିଷେଧକ ମୂଳକ ଗିରଫଦାରୀ ସତ୍ତ୍ୱେ ଉଭୟ ବିଜେପି ଓ କଂଗ୍ରେସ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିବାରେ ଏକ ପ୍ରକାର ସଫଳ ହୋଇଛନ୍ତି ବିରୋଧୀ ।ନବୀନ ଙ୍କ ଗସ୍ତ କୁ ବିରୋଧ କରିବା ପାଇଁ ବେଶ ଚତୁରତାର ରଣନୀତି ପ୍ରସ୍ତୁତ କରିଥିଲେ ଉଭୟ ଦଳ । ଅନେକ ସ୍ଥାନରେ ଉଭୟ ପୋଲିସ ଓ ବିରୋଧୀ ଦଳ ର ନେତୃବୃନ୍ଦ ଙ୍କ ମଧ୍ୟରେ ଚକା ପଞ୍ଚା ଭଳି ରୋଚକ ଦୃଶ୍ୟ କୁ ବେଶ ମନଭରି ଉପଭୋଗ କରିଥିଲେ ଦେଖଣାହାରି । କେତେକ ସ୍ଥାନରେ ଉଭୟ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତା ଙ୍କ ସହ ବିଜେଡି ସମର୍ଥକ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ବି ଦେଖିବାକୁ ମିଳିଥିଲା ।
ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ଙ୍କ ନେତୃତ୍ୱରେ ତାଙ୍କ ସମର୍ଥକ ମାନେ ସହର ର ସିମିଳିପଡା ଠାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପରେ ପରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ପ୍ରତିମା ମିଶ୍ର , ରୋଜାଳିନ ଦାସ,ନମିତା ଦଳ ବେହେରା, ସୁଜାତା ଦାସ, ସରିତା ମିଶ୍ର, ମମତା ମହାପାତ୍ରଙ୍କ ସମେତ ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ହାତରେ କଳା ପତାକା ଧରି ନବୀନ ବିରୋଧୀ ସ୍ଲୋଗାନ ଦେଇ 55 ନମ୍ବର ଜାତୀୟ ରାଜପଥ ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସ୍ଥଳ କୁ ମାଡି ଯାଉଥିବା ବେଳେ କାଞ୍ଚନ ଟକିଜ ଛକ ଠାରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । କିଛି ସମୟ ଧରି ଉଭୟ ପକ୍ଷରୁ ଛକା ପଞ୍ଚା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।ତେବେ ସେଠାରେ ବିଜେଡି କାର୍ଯ୍ୟକର୍ତା ମାନେ ମହିଳା ମୋର୍ଚ୍ଚା ର ସଦସ୍ୟା ଙ୍କୁ ପ୍ରତିହତ କରିବାରୁ ଏହାକୁ ନେଇ ଉତ୍ୟକ୍ତ ହୋଇ ପଡ଼ିଥିଲେ ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତା ।
ପରେ ପରେ ବିଇଡ଼ି ଛକ ଠାରୁ ଜିଲା ସଭାପତି ଦିଲେଶ୍ୱର ପ୍ରଧାନ , ରାଜ୍ୟ ବିଜେପି ଓବିସି ସେଲ ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଦୀପ ସ୍ୱାଇଁ ଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ହାତରେ କଳା ପତାକା ଧରି ଶୈଳ ଶ୍ରୀକ୍ଷେତ୍ର ଦେଇ ସଭାସ୍ଥଳ ଆଡକୁ ଅଗ୍ରସର ହେଉଥିବା ବେଳେ ସେଠାରେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ତେବେ ସମ୍ପୃକ୍ତ ସ୍ଥାନରେ ବିଜେଡି କାର୍ଯ୍ୟକର୍ତା ପହଂଚିବା ପରେ ଉଭୟ ପକ୍ଷରୁ ଉତେଜନା ମୂଳକ ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଏପରିକି ଖୋଦ ପୋଲିସ ଉପସ୍ଥିତି ରେ ବିଜେଡି କାର୍ଯ୍ୟକର୍ତା ବିଜେପି କାର୍ଯ୍ୟକର୍ତା ଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ।
ଯାହାକୁ କଟୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ର ସମ୍ପାଦକ କାଳନ୍ଦୀ ସାମଲ । ଆଜି କାଳନ୍ଦୀ ଙ୍କ ନେତୃତ୍ୱରେ ମଧ୍ୟ ଅନୁରୂପ ଭାବେ ବିଜେପି କାର୍ଯ୍ୟକର୍ତା ମାନେ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ସମୁଖରୁ କଳା ପତାକା ଓ ସ୍ଲୋଗାନ ଦେଇ ସଭା ସ୍ଥଳ କୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ , ସେଠାରେ ପୋଲିସ ଶ୍ରୀ ସାମଲ ଙ୍କ ସମେତ ବିଜେପି ମିଡିଆ ସେଲ ମୁଖ୍ୟ ପର୍ଶୁରାମ ବାରିକ , ଚନ୍ଦ୍ରକାନ୍ତ ଧଳ , ପ୍ରଶାନ୍ତ ନନ୍ଦ ଓ ସନ୍ତୋଷ ମହାସୁପକାର ଙ୍କ ସମେତ ଅନେକ କାର୍ଯ୍ୟକର୍ତା ଙ୍କୁ ଗିରଫ କରିଥିଲା ।
ବିଜେପି ଭଳି କଂଗ୍ରେସ ଜିଲା ସଭାପତି ବିପ୍ଲଵ ଜେନା , ଜିଲା ଓବିସି ସେଲ ମୁଖ୍ୟ ଜିତେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଷ୍ଟାଡିୟମ ସମୁଖରେ ଓ ସବିତା ଧୀର ତଥା କଂଗ୍ରେସ ନେତା ବଲବୀର ସିଂ ଙ୍କ ନେତୃତ୍ୱରେ ରାଜା ଛକ ଠାରେ ଚାଲିଥିବା ବିକ୍ଷୋଭ କୁ ପୋଲିସ ପ୍ରତିହତ କରିଥିଲା । ପରେ ପରେ ଉଭୟ ଦଳ ର ବହୁ ସଂଖ୍ୟକ ନେତା ଓ କର୍ମୀ ଙ୍କୁ ଗିରଫ କରିଥିଲା ପୋଲିସ ।
ବିଶେଷ ଭାବେ ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବି ରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକ ଗସ୍ତ କୁ ବିରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *