Spread the love

ଅନୁଗୋଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ୧୨ତାରିଖ ଦିନ ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯଯାଇଛି । ବୈଠକ ଆରମ୍ଭରେ ନିକଟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା ତାଙ୍କର ନୂତନ କମିଟିରେ ଅନୁଗୋଳ ଜିଲ୍ଲାରୁ ସ୍ଥାନୀତ କରିଥିବା ଅନ୍ୟତମ ଉପସଭାନେତ୍ରୀ ରୂପାଦୀପ୍ତା ମହାପାତ୍ର, ସାଧାରଣ ସଂପାଦିକା ଏଲ. ମଣିକା ପ୍ରଭା, ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ୱିନୀ ବିଶ୍ୱାଳ ଓ ଅନୁଗୋଳ ନଗର ସଭାନେତ୍ରୀ କଶିଦା ବିବିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଗଲା । ଅନୁଗୋଳ ତଥା ରାଜ୍ୟରେ ଖ୍ୟାତି ଅର୍ଜନ କରିଥିବା ସମାଜସେବିକା ସୁଭଦ୍ରା ନାଏକ ନିଖିଳ ଭାରତ କଂଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଓ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦକଙ୍କ ନେତୃତ୍ୱରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

ପ୍ରଦେଶ କଂଗ୍ରେସ କମିଟିର ସଂପାଦିକା ସୁକାନ୍ତୀ ଦାସ ସମସ୍ତ କଂଗ୍ରେସ କର୍ମୀ ଏକତ୍ର ଭାବରେ କାମ କରି ଆଗାମୀ ପଂଚାୟତ ଓ ନଗରପାଳିକା ନିର୍ବାଚନକୁ କିଭଳି କଂଗ୍ରେସ ଦଳ ବାଜିମାତ କରିବ ସେ ନେଇ ସମସ୍ତଙ୍କ ସହେଯାଗ କାମନା କରିଥିଲେ । ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସହ ଦୋଷୀକୁ କଠୋର ଦଣ୍ଡ ପ୍ରଦାନ ପାଇଁ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଥିବାରୁ ମୂଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଦାବିରେ ଆଗାମୀ ୧୨ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶା ବନ୍ଦର ଯେଉଁ ଆହ୍ୱାନ ଦେଇଛନ୍ତି, ତାକୁ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇ ବନ୍ଦକୁ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଶପଥ ନେଇଥିଲେ ।

ସେହିଦିନ ସକାଳ ୬ଘଟିକାରୁ ବନ୍ଦ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଓ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର, ଗାଡିମଟର ଯାତାୟତ ସେହି ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜଣାଇଦେବା ସହ ଜନ ସାଧାରଣ ଏହାକୁ ସମର୍ଥନ କରିବାକୁ ବୈଠକରେ ନିବେଦନ କରାଯାଇଛି । ବ୍ଲକ ଓ ନଗର କଂଗ୍ରେସ ସଭାପତିମାନେ ସେମାନଙ୍କ ନିଜ ନିଜ ଅଂଚଳମାନଙ୍କରେ ରହି ବନ୍ଦକୁ ସଫଳ କରିବେ ଓ ସମସ୍ତ ଛାମୁଆଁ ସଂଗଠନମାନେ ସେମାନଙ୍କ କର୍ମକର୍ତା ଓ କର୍ମୀମାନଙ୍କୁ ନେଇ ବନ୍ଦରେ ସାମିଲ ହେବାକୁ ଜିଲ୍ଲା ସଭାପତି ନିଦେ୍ର୍ଦଶ ଦେଇଥିଲେ । ସମସ୍ତ ଜିଲ୍ଲା କଂଗ୍ରେସ କର୍ମକର୍ତାମାନେ ନିଜ ନିଜ ଅଂଚଳମାନଙ୍କରେ ରହି ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କୁ ବନ୍ଦ ସଫଳ ପାଇଁ ସହଯୋଗ କରିବେ । ଆଜିର ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ଚିତ ରଂଜନ ନାଏକ, ତପନ ପ୍ରଧାନ, ବିରଂଚି ନାରାୟଣ ଧର, ମିଡିଆ ସେଲ ଅଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଏସସି ସେଲ ଅଧ୍ୟକ୍ଷ ନିଳକଣ୍ଠ ନାଏକ, ଏସସି ସେଲ ରାଜ୍ୟ ଆବାହକ ଟିକନ ବେହେରା, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ଦାଶରଥି ସାହୁ, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝି, ନଗର ସଭାପତି ସୁଦୀପ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ରଂଜନ ଥାପା, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ରାକେଶ ମିଶ୍ର, ଆଲୋକ ଦାଶ, ଶିବାନୀ ଗୌଡ, ମିଡିଆ ସେଲର ସୁବ୍ରତ ତ୍ରିପାଠୀ, ସନ୍ତୋଷ ପଟ୍ଟନାୟକ, ପ୍ରଶାନ୍ତ ବିଶ୍ୱାଳ, ଅନୁଗୋଳ ବ୍ଲକ ଏସସି ସେଲ ଅଧ୍ୟକ୍ଷ ହେମନ୍ତ ମହାଳିକ ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ ।

ଦେଖନ୍ତୁ ଭିଡ଼ିଓ: https://bit.ly/3kkOYoT

Leave a Reply

Your email address will not be published. Required fields are marked *