ଅନୁଗୁଳ: ଅନୁଗୁଳର ଜିନ୍ଦଲ ନଗରରେ ଅବସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ “ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମଟି ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଏକ ସ୍ୱତନ୍ତ୍ର ସଭା ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଭାରତର ଏକୀକରଣରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ଜାତୀୟ ସଂହତି ଏବଂ ସଦ୍ଭାବର ବାର୍ତ୍ତା ପ୍ରସାର ପାଇଁ ଇଣ୍ଟର ହାଉସ୍ ଦୌଡ଼ “ରନ୍ ଫର୍ ୟୁନିଟି” ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍କୁଲର ଏନସିସି ଛାତ୍ରଛାତ୍ରୀମାନେ ସର୍ଦ୍ଦାର ପଟେଲଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଭାଷଣ ମଧ୍ୟ ଉପସ୍ଥାପନ କରିଥିଲେ।
ଜିନ୍ଦଲ ଷ୍ଟିଲର ପ୍ରଶାସନ ବିଭାଗର ମୁଖ୍ୟ କର୍ଣ୍ଣେଲ ସୁଦୀପ ମାଜି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଜେତା ଏବଂ ଉପବିଜେତାଙ୍କୁ ପଦକ ଏବଂ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।
ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥ ନେବା ସହ ଉତ୍ସବ ଶେଷ ହୋଇଥିଲା। ଆମ ଦେଶର ପ୍ରଗତି ଏବଂ ସଦ୍ଭାବ ପାଇଁ ଏକାଠି କାମ କରିବାକୁ ଏହି କାର୍ୟ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲା।
