ଅନୁଗୋଳ: ଜିଲ୍ଲା ପ୍ରଶାସନ, ଅନୁଗୋଳ ଦ୍ୱାରା ତା ୨୬.୦୬.୨୫ ରିଖ ଦିନ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ୨୦୨୫ ଅନୁଗୋଳ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶାରଦା ଭବନ ସଭା ଗୃହ ଠାରେ ଏକ କର୍ମଶାଳା ଆୟୋଜନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞା ଡକ୍ଟର ରଶ୍ମିତା ଭଞ୍ଜଦେଓ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଡ୍ରଗ୍ସ ଏବଂ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଯଥା ଗଞ୍ଜେଇ, ବ୍ରାଉନ ସୁଗାର, ହିରୋଇନ୍, ହାସିସ, ଭାଙ୍ଗ, ମଦ, କୋକେନ୍, ବିଭିନ୍ନ ପ୍ରକାର ଅବୈଧ ନିଶା ଔଷଧ, ପରମାନେଣ୍ଟ ମାର୍କର, ଦେନ୍ଦ୍ରାଇଟ ଅଠା ଇତ୍ୟାଦିର ଅପବ୍ୟବହାର ଏକ ଚିନ୍ତା ଜଣକ ଆହ୍ୱାନ ଭାବେ ଆଜି ସମଗ୍ର ବିଶ୍ଵ ତଥା ଅର୍ଥନୀତିକୁ ପ୍ରଭାବିତ କରିଛି। ବିଶେଷକରି ଯୁବ ସମାଜ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ନିଶା ଦ୍ରବ୍ୟ ଅପବ୍ୟବହାର ତଥା ଅବୈଧ ଚାଲାଣ ରୋକିବା ପାଇଁ ଏହି ଦିବସ ସମଗ୍ର ବିଶ୍ବରେ ୧୯୮୭ ମସିହା ଠାରୁ ଜାତିସଂଘର ସ୍ଵୀକୃତି କ୍ରମେ ପାଳିତ ହେଉଅଛି। ତେଣୁ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ଭାଗିଦାରୀ ଦ୍ଵାରା ଏହି ଦିବସ ପାଳନର ସୁଫଳ ମିଳିପାରିବ ବୋଲି ଦର୍ଶାଇବା ସହିତ ଶାରିରୀକ ତଥା ଦୈନଦିନ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆସିବା ଦ୍ବାରା ଜଣେ କେଉଁ ନିଶା ସେବନ କରୁଛି ଆମେ ଅନୁମାନ କରି ପାରିବା ବୋଲି ଦର୍ଶାଇଥିଲେ।
ପବିତ୍ର ମୋହନ ମେଡିକାଲ କଲେଜର ଶରୀର ତତ୍ତ୍ଵ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ମନୋଜ କୁମାର ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚଳିତ ବର୍ଷର ବିଷୟବସ୍ତୁ ” ଶୃଙ୍ଖଳାକୁ ଭାଙ୍ଗିବା: ନିରୋଧ, ଚିକିତ୍ସା ଏବଂ ଆରୋଗ୍ୟଲାଭ ସମସ୍ତଙ୍କ ପାଇଁ” ବିଷୟରେ ବିସ୍ତୃତ ଆଲୋଚନା ସହିତ ବିଭିନ୍ନ ପ୍ରକାର ନିଦ ଔଷଦ ବ୍ୟବହାର ଲଗାତର ଭାବେ କରିବା ଦ୍ଵାରା ଶରୀର ଉପରେ କେଉଁ କେଉଁ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରେ, ଆମ ଦୈନଦିନ ଜୀବନକୁ କିପରି ପ୍ରଭାବିତ କରେ ଏବଂ ବ୍ୟକ୍ତିଗତ ତଥା ସାମାଜିକ ଜୀବନକୁ କିପରି ଛାରଖାର କରିଦିଏ ସେହି ବିଷୟରେ ଅବଗତ କରାଇଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ନିଶା ଅଭ୍ୟାସରୁ ମୁକ୍ତି ପାଇଁ ବିଭିନ୍ନ ନିଶା ମୁକ୍ତି କେନ୍ଦ୍ରର କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବଗତ କରାଇବା ସହିତ ଉପସ୍ଥିତ ଜନତାଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରହିବା ଲାଗି ଶପଥ ପାଠ କରାଇଥିଲେ।
ନୀଳାଦ୍ରି ବିହାରୀ ନାୟକ, ଜିଲ୍ଲା ଉପ- ଅଧିକ୍ଷକ ଅବକାରୀ ବିଭାଗ ଇତ୍ୟାଦି ଯୋଗ ଦେଇ ନିଶା ଦ୍ରବ୍ୟ ଚୋରା ଚାଲାଣ କରି ଧରା ପଡ଼ିଲେ ସରକାରଙ୍କର ଦ୍ବାରା ରହିଥିବା ବିଭିନ୍ନ ଦଣ୍ଡ ବିଧି ଆଇନ ସମ୍ବନ୍ଧରେ ବିସ୍ତୃତ୍ତ ଭାବେ ଆଲୋଚନା କରିଥିଲେ।
ଡକ୍ଟର ସିଦ୍ଧନାଥ ସାହୁ, ଅଧ୍ୟକ୍ଷ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ମାଦକ ଦ୍ରବ୍ୟ ସେବନ ନକରିବା ପ୍ରତି ସଜାଗ ରହିବା ସହିତ ବିଭିନ୍ନ ଅବୈଧ ନିଶା ଦ୍ରବ୍ୟ ଚୋରା ଚାଲାଣ ସମ୍ବନ୍ଧରେ ନିଜେ ଅବଗତ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରାଇବା ଦ୍ବାରା ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।
ସ୍ପନ୍ଦନର ସଦସ୍ୟ ବିଭୁ ଶତପଥୀ ଅତିଥି ପରିଚୟ ପ୍ରଦାନ ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି କର୍ମଶାଳାଟିକୁ ସମାଜିକ ସଂଗଠନ ସ୍ପନ୍ଦନ ଆୟୋଜନ ରେ ସହଯୋଗ କରିଥିଲେ।
ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଏବଂ କପ୍ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ନାଲକୋ ସିପିପିର କର୍ମଚାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ନାଟକ “ଶପଥ” ପରିବେଷଣ କରାଯାଇଥିଲା, ବିଭୂତି ଭୂଷଣ ଦଣ୍ଡପାଟ, ମାଧବ ଚନ୍ଦ୍ର ସେଠୀ, ବିଜୟ ପ୍ରଧାନ ଏବଂ ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ଅଭିନୟ କରି ଦର୍ଶକଙ୍କୁ ନିଶା ସେବନର ଭୟାବହତା, ଦୃଢ ନିଷ୍ପତ୍ତି ଏବଂ ଇଚ୍ଛା ଶକ୍ତି ଦ୍ଵାରା ନିଶା ଅଭ୍ୟାସକୁ କିପରି ପରିତ୍ୟାଗ କରି ସୁ-ନାଗରିକ ହୋଇ ପାରିବା ସେହି ବିଷୟରେ ସଚେତନ କରାଇଥିଲେ ଏବଂ ସମସ୍ତ ଦର୍ଶକ ଏହି ନାଟକକୁ ଉପଭୋଗ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ।
ସ୍ପନ୍ଦନର ସୁଶାନ୍ତ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ୧୧୦ ଜଣ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଅବକାରୀ ବିଭାଗର କର୍ମଚାରୀ, ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇଥିଲେ।
