Spread the love

ଅନୁଗୁଳ: ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସର “ଘରେ ଘରେ କଂଗ୍ରେସ ,ଘରେ ଘରେ ହାତ” କାର୍ଯ୍ୟକ୍ରମର ଦିତୀୟ ଦିନ ବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁରଠାରେ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ମହିଧରପୁର ପଂଚାୟତରେ ଘରେ ଘରେ ବୁଲି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ପ୍ରସ୍ତୁତ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଯେଉଁଥିରେ ବିଜେଡି ବିଜେପିର ପ୍ରତିଶ୍ରୁତି ଓ ପ୍ରତାରଣା ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶ ପାଇଁ କଂଗ୍ରେସ ଦଳର ଅବଦାନ ଏବଂ ବିଜେପି ଓ ବିଜେଡି ସରକାରର ପ୍ରତାରଣା ଉପରେ ଆଧାରିତ ସଙ୍ଗୀତକୁ ଏହି ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର ଜନ ସାଧାରଣଙ୍କୁ ସଚେତନ କରିବାକୁ ଯାଇ କହି ଥିଲେ ଯେ ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧି ଏବଂ ଖଣିଜ ସମ୍ପଦ ଭରା ଅଂଚଳ ହୋଇଥିଲେ ମଧ୍ୟ ଏଠିକାର ଯୁବକ ଯୁବତୀ ବେକାର ଓ ସାଧାରଣ ଲୋକ ଦାରିଦ୍ର୍ୟର ତାଡନାରେ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି ।ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇ କମ୍ପାନୀ ମାନଙ୍କ ସହ ହାତ ମିଳାଇ ଆଖି ବନ୍ଦ କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ମାତ୍ର ସ୍ଥାନୀୟ ଜନତାଙ୍କର ମୌଳିକ ସମସ୍ୟା ପ୍ରତି ଉଦାସୀନ ରହି, ମଜା ଦେଖୁଛନ୍ତି । ଆମେ ଧୂଳି, ଧୁଆଁ ଖାଉଛୁ, ସେଥିପାଇଁ ସେମାନଙ୍କ ମନରେ ଦରଦ ନାହିଁ। ତାଳଚେରରେ ଚାଲୁ ହେବାକୁ ଥିବା ମେଡିକାଲ କଲେଜ ଏପର୍ଯ୍ୟନ୍ତ ଖୋଲା ହୋଇପାରିଲା ନାହିଁ।

ଏଠିକାର ଏଫସିଆଇ ସାରକାରଖାନା ପୁନଃ କାର୍ଯ୍ୟକ୍ଷମ ଅଦ୍ୟାବଧି ହୋଇ ପାରିଲା ନାହିଁ। ଫଳରେ ବହୁଲୋକ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା କଂଗ୍ରେସ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଓ ସ୍ୱାର୍ଥ ପାଇଁ ଲଢେ଼ଇ ଜାରି ରଖିଛି ଏବଂ ରଖିବ ମଧ୍ୟ। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ ଓ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେବାପାଇଁ ସ୍ଥିରକୃତ ହୋଇଛି। ନବୀନ ଓ ମୋଦି ସରକାର ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଓଡିଶା ସରକାରରେ ଖାଲି ପଡିଥିବା ୨ଲକ୍ଷ୍ୟ ୨୬ ହଜାର ସରକାରୀ ପଦବୀ ,ରାଜ୍ୟରେ ୯୨ ହଜାର ଖାଲି ପଡିଥିବା ଶିକ୍ଷକ ପଦବୀ, ବିଭିନ୍ନ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଖାଲିପଡିଥିବା ୫୦ ପ୍ରତିଶତ ଡାକ୍ତର ପଦବୀ କେବେ ପୁରାଣ ହେବ ସେ ପ୍ରଶ୍ନ ପ୍ରତି ଘରୁ ଉତ୍ଥାପନ ହେଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଅକାଶଛୁଆଁ ଦରବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଉତ୍କଟ ମହଙ୍ଗା, ଚୁଡା, ମୁଢି, ଗୁଡ, ଛତୁଆ ପ୍ରଭୃତିର ଦର ବୃଦ୍ଧିର କାରଣ ସମ୍ପର୍କରେ ସରକାରୀ ଦଳର ନେତାଙ୍କୁ ସାଧାରଣ ଲୋକ ପ୍ରଶ୍ନ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର କହିଛନ୍ତି। ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଉତ୍କଟ ଦାରିଦ୍ର୍ୟ, ନକଲି ଡାକ୍ତର , ନକଲି ଔଷଧ ,ପିଡ଼ିଏସ ସାମଗ୍ରୀର ଲୁଟ, ସରକାରୀ ଯୋଜନାର ଅର୍ଥ ହଡପ ସମ୍ପର୍କରେ ଏହି ପ୍ରଚାରପତ୍ର ରେ ସାଧାରଣ ଜନତା ଙ୍କୁ ଚେତାଇ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ପିସିସି କାର୍ଯ୍ୟକାରୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ଉପସଭାପତି ଦୁଷ୍ମନ୍ତ ଦଳବେହେରା, ପରେଶ ଜେନା ,ବନରପାଳ ବ୍ଲକ କଂଗ୍ରେସ ସଭାପତି ବିଦ୍ୟାଧର ବରାହ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ବେହେରା, ଚିତ୍ତରଞ୍ଜନ ସାମଲ, ମାନସ ଭୁକ୍ତା, ଶିଶିର ପାଳ, କୃଷ୍ଣଚନ୍ଦ୍ର ଦେହୁରୀ, ଜୟକୃଷ୍ଣ ଦେହୁରୀ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *