Spread the love

ଅନୁଗୁଳ: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମର୍ମାନ୍ତିକ ଆତ୍ମାହୁତି ଘଟଣାର ପ୍ରତିବାଦରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଉପଲକ୍ଷେ ସୋମବାର ସନ୍ଧ୍ୟାରେ ଦଳର ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଅନୁଗୁଳ ବଜାରରେ ପ୍ରତିବାଦ ଶୋଭାଯାତ୍ରା ପରେ ରାଜାଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଅଶୋକ ମିଶ୍ର, ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର ଓ ଜିଲ୍ଲା କମିଟି ସଭ୍ୟ ତଥା ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକ ପ୍ରମୁଖ ବକ୍ତବ୍ୟଦେଇ ଡବଲ ଇଞ୍ଜିନ୍ ବିଜେପି ସରକାରଙ୍କ ଛତ୍ରଛାୟା ତଳେ ଅପରାଧୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରୀ, ଯୁବତୀ, ମହିଳାମାନଙ୍କ ଉପରେ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟାଇ ·ଲିଛନ୍ତି ବୋଲି ଦୃଢ଼ ଅଭିଯୋଗ କରିଥିଲେ । ଏଫ୍.ଏମ୍. କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଏହି କଲେଜର ଶିକ୍ଷା ବିଭାଗର ଜଣେ ଛାତ୍ରୀଙ୍କୁ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ମାନସିକ ଓ ଯୌନ ନିର୍ଯ୍ୟାତନା ଦେଇ ଆସୁଥିବା ଘଟଣା ବିଷୟରେ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ, ଜିଲ୍ଲା ପୋଲିସ୍ ଅଧ୍ୟକ୍ଷ, ଜିଲ୍ଲାପାଳ, ବାଲେଶ୍ୱର ବିଧାୟକ ଓ ସାଂସଦ, ଓଡିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ, ଜାତୀୟ ମହିଳା କମିଶନଙ୍କୁ ଅନୁରୋଧ କରିବା ସତ୍ତ୍ୱେ ନ୍ୟାୟ ନପାଇ ଆତ୍ମାହୁତି ଦେଇ ମୃତୁ୍ୟ ସହିତ ସଂଘର୍ଷ କରୁଥିବା ଘଟଣା ରାଜ୍ୟ ବିଜେପି ସରକାର ଓ ପ୍ରଶାସନର ଅପରାଧୀ ସୁଲଭ ଆଚରଣ ଯୋଗୁଁ ହୋଇଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସଙ୍ଗେ ସଙ୍ଗେ ଏହି ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ଏବଂ ଅପରାଧୀଙ୍କୁ ସହଯୋଗ କରିଆସିଥିବା ଅଧ୍ୟକ୍ଷଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦୃଢ଼ ଦାବି କରିଥିଲେ । ଉକ୍ତ ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେଇ ବିଜେପି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଯେଉଁ ଅମାନବିକ କାର୍ଯ୍ୟ କରିଛନ୍ତି ତା ବିରୁଦ୍ଧରେ ରାଜ୍ୟର ଜନସାଧାରଣ ପ୍ରତିବାଦ କରିବା ପାଇଁ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଆଜିକାର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟା ସ୍ୱୟଂପ୍ରଭା ନାୟକ, ଜିଲ୍ଲା କମିଟି ସଭ୍ୟ ପ୍ରହ୍ଲାଦ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମନେ୍ଦାଦରୀ ରାଉଳ, ରଣଜିତ ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ମାନସୀ ସ୍ୱାଇଁ, ମାନସ ପାଳ, ସଞ୍ଜୟ ସାହୁ, ପ୍ରମିଳା ପଣ୍ଡାଙ୍କ ସମେତ ଦଳର ବହୁ କର୍ମୀ ସଂଗଠକ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *