Angul News (ସୁବ୍ରତ ପଟ୍ଟନାୟକ): ବିଜେପିର ଅନଗୁଳ ଜିଲ୍ଲା ପ୍ରବାସ ଯୋଜନା ରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା କୁ 28 ଦିନ ବିତିଯାଇଥିଲେ ମଧ୍ଯ ସରକାର ତଦନ୍ତକୁ ବାଟବଣା କରୁଛନ୍ତି। ପ୍ରକୃତ ଦୋଷୀଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ମୋହରାକୁ ପାଗଳ ସଜାଇବାକୁ ଶତଚେଷ୍ଟା କରୁଛି। ରାଜ୍ୟ ସରକାର ଓ ବିଜୁ ଜନତା ଦଳ ପ୍ରକୃତ ଅପରାଧିକୁ ଧରିବା ପରିବର୍ତ୍ତେ ଲୋକମାନସକୁ ବିଭ୍ରାନ୍ତି କରିବା ପାଇଁ ଲାଗି ପଡ଼ିଛନ୍ତି। ଅନଗୁଳ ଜିଲ୍ଲାର ଜଣେ ବିଧାୟକ ବିଜୁ ଜନତା ଦଳ ବିଧାୟକଙ୍କ ମଧ୍ୟରୁ ସର୍ବାଧିକ ୨୯ ଟି ଅପରାଧିକ ମାମଲା ରେ ଜଡିତ ରହି ରେକର୍ଡ଼ କରୁଛନ୍ତି। ଅପରାଧୀ ପ୍ରବଣ ବିଜେଡି ଅନଗୁଳ ଜିଲ୍ଲା କୁ ବଦନାମ କରିବା ସହ ବରବାଦ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଗୁଳ ଜିଲ୍ଲା ପାଇଁ ଡିଏମଏଫ୍ ପାଣ୍ଠି ଗଠନ କରି ହଜାର ହଜାର କୋଟି ଅନୁଦାନ ଆଣୁଥିବା କହିଛନ୍ତି। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ ସାଙ୍ଗଠନିକ ସମୀକ୍ଷା ଓ ଆଲୋଚନା କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା ସାଙ୍ଗଠନିକ ଆଲୋଚନା କରିଥିଲେ। ବୈଠକରେ ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ପ୍ରଭାରୀ, ଜିଲ୍ଲା ମୋର୍ଚ୍ଚା ସଭାପତିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି।