Angul News: ଅନୁଗୋଳ: ସ୍ଥାନୀୟ ପୁରୁଣା ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ, ଅନୁଗୋଳ ପରିସରରେ ଜିଲ୍ଳାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅମ୍ବୁଜ କୁମାର ଗଡନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭିକାରିବନ୍ଧୁ ସାହୁ, କାର୍ଯ୍ଯକ୍ରମର ସଭାପତି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ପ୍ରତିଭା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ କାରାଇଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଓ ବ୍ୟାଚ ପ୍ରଦାନ ପୂର୍ବକ ସମ୍ମାନିତ କାରାଯାଇଥିଲା ।
କାର୍ଯ୍ୟକ୍ରମର ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରୀତିମୟ ତାଙ୍କର ସମ୍ଭାଷଣ ଛଳରେ ଛାତ୍ରଛାତ୍ରୀମାନଙ୍କୁ “ଭାରତର ବିକାଶ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଅତୁଳନୀୟ, କିଛି ବର୍ଷ ପୂର୍ବେ ପ୍ରବାସୀ ଭାରତୀୟମାନଙ୍କୁ ବ୍ରେନ-ଡ୍ରେନ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ବ୍ରେନ-ଗେନ ବୋଲି ଅବିହିତ କରାଯାଉଛି । କାରଣ ପ୍ରବାସୀ ଭାରତୀୟମାନେ କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ ବରଂ କୂଟନୈତିକ, ରାଜନୈତିକ, ବୈଦେଶିକ ନୀତି ନିର୍ଦ୍ଦାରଣ କ୍ଷେତ୍ରରେ ଭାରତର ସ୍ବାର୍ଥକୁ ସଦାସର୍ବଦା ରକ୍ଷା କରି ଆସୁଛନ୍ତି । କିଏ ଜାଣେ ତୁମ ଭିତରୁ କେହି କେହି ଦିନେ ନା ଦିନେ ପ୍ରବାସୀ ଭାରତୀୟ ନ ହେବ । ଭଲ ପାଠ ପଢି ପ୍ରବାସୀ ଭାରତୀୟ ହୁଅ ଓ ଦେଶର ସ୍ଵାର୍ଥ ପାଇଁ କମ କର” ।
କାର୍ଯ୍ୟକ୍ରମର ସଭାପତି ଶ୍ରୀମତୀ ବାରିକ ପ୍ରବାସୀ ଭାରତୀୟ ଦିବସର ମହନୀୟତାକୁ ଛାତ୍ରଛାତ୍ରୀମାନଙ୍କୁ ଅତି ସରଳ ଭାଷାରେ ବିଝାଇବା ସହିତ ଚଳିତ ବର୍ଷ ଆମ ରାଜ୍ୟ ଓଡିଶାରେ ଆସନ୍ତା ତା ୦୮.୦୧.୨୦୨୫ ରୁ ୧୦.୦୧.୨୦୨୫ ରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ସୁଯୋଗ ପାଇଥିବାରୁ ଆମେ ଗର୍ବିତ ଏବଂ ଚଳିତ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ “ବିକଶିତ ଭାରତ ନିମନ୍ତେ ପ୍ରବାସୀ ଭାରତୀୟଙ୍କ ଅବଦାନ” ସମ୍ପର୍କରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ଯକ୍ରମ ଅନ୍ତର୍ଗତ ବରିଷ୍ଠ ବର୍ଗ (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ) ନିମନ୍ତେ ସାଧାରଣ ଜ୍ଞାନ, ସାଇକେଲ ଚାଳନା, ପୋଷ୍ଟର ମେକିଂ, ମଧ୍ୟମ ବର୍ଗ (ନବମ ଓ ଦଶମ) ଓ କନିଷ୍ଠବର୍ଗ (ଅଷ୍ଟମ ଶ୍ରେଣୀ) ନିମନ୍ତେ ପ୍ରବନ୍ଧ ଲିଖନ ଓ ପୋଷ୍ଟର ମେକିଂ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏଥିନିମନ୍ତେ ଜିଲ୍ଲାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗାଇଡ ଶିକ୍ଷକ ସମେତ ସମୁଦାୟ ୧୫୪ ଅଂଶଗ୍ରହଣ କରିଥିଲେ । କାର୍ଯ୍ଯକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଗଣ୍ଯମାନ୍ଯ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅମ୍ବୁଜ କୁମାର ଗଡନାୟକ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ତଥା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ସହଯୋଗ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।