Spread the love

Odisha News: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀମାନଙ୍କ ଉପସ୍ଥିତିରେ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଥିଲେ। ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ବଜେଟ 2024-25 ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଯେଉଁ ସବୁ ବିଭାଗ ରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସମସ୍ତ ବିଭାଗ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ତରଫରୁ ରାସ୍ତା ଓ ସେତୁ ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୃଷି ବିଭାଗ ତରଫରୁ ଶୀତଳ ଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରା ଯାଇଥିଲା।

ବିଦ୍ୟାଳୟ ଉନ୍ନତିକରଣ, ଜଳସମ୍ପଦ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ४ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସହିତ ଆଗାମୀ 2 ୟ କିସ୍ତି ପ୍ରଦାନ ସମ୍ପର୍କିତ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ ପୁଲିସ ସେବା ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସଚିବ ମାନଙ୍କୁ ନୂଆ ନୂଆ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଥିଲେ ଯେ, ଅନେକ ବିଭାଗ ଭଲ କାମ କରିଛନ୍ତି। ମୋଟାମୋଟି ଭାବେ କାର୍ଯ୍ୟ ଓ ଖର୍ଚ୍ଚ ଠିକ ଚାଲିଛି। ସମସ୍ତଙ୍କୁ ବିଭାଗ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ୨ ମାସ ମଧ୍ୟରେ ବଜେଟ ପୂର୍ବରୁ ବିଭାଗମାନେ ଶତ ପ୍ରତିଶତ ଖର୍ଚ୍ଚ ଲକ୍ଷ୍ୟ ହାସଲ ପ୍ରୟାସ କରିବାକୁ କହିଥିଲେ। ଚିରା ଚରିତ ଢାଞ୍ଚାରୁ ବାହାରି ନିଜ ନିଜ ବିଭାଗ ରେ ଦୀର୍ଘ ସୂତ୍ରୀ ଏବଂ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ପାଇଁ ୩ ଲକ୍ଷ ୨୦ ହଜାର ପ୍ରସ୍ତାବ ଆସିଛି। ଆମେ ସେଥିରୁ ଭଲ ଭଲ ପ୍ରସ୍ତାବ ଗୁଡି଼କୁ ଗ୍ରହଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉତ୍କର୍ଷ ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ନିଜ ନିଜ ବିଭାଗକୁ ଶକ୍ତି ଶାଳୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସମସ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *