Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମର ସମସ୍ତ ଜାଗାକୁ ଅବିଳମ୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଇଦେବା, ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ, ଖଣି ଓ ଅଭୟାରଣ୍ୟ ପାଇଁ ବିସ୍ଥାପନ ପୂର୍ବରୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ କରିବା ସହିତ ସମସ୍ତ ବେକାର ଯୁବକ-ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ପାସେଞ୍ଜର ଟ୍ରେନ୍ରେ ସ୍ପେସାଲ୍ ଯାତ୍ରୀଭଡା ଆଦାୟ ବନ୍ଦ କରିବା, ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପାଇଁ ରିହାତି ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା, ଅନୁଗୁଳ ସହରରେ ଥିବା ସଭାଘର ପାଇଁ ମାତ୍ରାଧିକ ଭଡା ଆଦାୟ ବନ୍ଦକରି ସର୍ବସାଧାରଣଙ୍କ ପାଇଁ ସର୍ବନିମ୍ନ ଭଡା ଧାର୍ଯ୍ୟ କରିବା, ଜିଲ୍ଲାରେ ବହୁ ଦିନରୁ ପ୍ରସ୍ତାବିତ ସୁରେଶ୍ୱରୀ, ଧଉରାଗୋଠ, ହିଡିସିଙ୍ଗ, ଢ଼ୋଲଢ଼ୁମୁରି, କାଣିଘାଇ, ସମାକୋଇ, କୁତୁଲସିଙ୍ଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବା ପ୍ରଭୃତି ଦାବିରେ ଆଜି “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ବନ୍ତଳା ଅଞ୍ଚଳର କରତପଟା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
କମିଟିର ଆବାହକ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ କମିଟିର ଅନ୍ୟତମ ଆବାହକ ଅଭିମନୁ୍ୟ ସ୍ୱାଇଁ, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ବ୍ରଜବନ୍ଧୁ ସାହୁ, ରମେଶ ଚନ୍ଦ୍ର ସାହୁ, ପଠାଣୀ ବାରିହା, ତୀର୍ଥବାସୀ ଭୋଇ, ତ୍ରିଲୋଚନ ଜେନା, ମାନସ ପାଳ, ପର୍ଶୁରାମ ଦାସ, ତରୁଣ ଦେହୁରୀ, ନିରୋଦ ଚନ୍ଦ୍ର ପାଳ, ତ୍ରିନାଥ ସାହୁ, ଅକ୍ଷୟ କୁମାର ନାଏକ, ରମଣୀରଞ୍ଜନ ପ୍ରଧାନ, ନବକିଶୋର ପ୍ର୍ରଧାନ, ହେମନ୍ତ ଦାସ, କୁମର ସାହୁ, ଅନନ୍ତ ଚରଣ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ତ୍ରେତାନନ୍ଦ ସାମନ୍ତ, ଦିଲ୍ଲୀପ ଦାସ, ନିରୂପମା ପ୍ରଧାନ, ବଳରାମ ବେହେରା, ବ୍ରହ୍ମଜ୍ୟୋତି ମିଶ୍ର, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବାବେଳେ ଜିଲ୍ଲାର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ଚରମ ଅବହେଳାକୁ ତୀବ୍ର ନିନ୍ଦା କରିଥିଲେ । ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାରେ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବକୁ ନେଇ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଜିଲ୍ଲାର ଜନ ଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ୧୦ ଜାନୁୟାରୀ ୨୦୨୩ରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନେ୍ଦାଳନ ଅନୁଷ୍ଠିତ ହେବ ବୋଲି ସାଧାରଣ ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।