Spread the love

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜ଼ିଲ୍ଲା ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅନଗୁଳ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ପ୍ରୟାସ ଜାରି ରଖିଥିବା କହିଛନ୍ତି। ମୋଦୀ ସରକାରଙ୍କ ତିନିଜଣ କ୍ୟାବିନେଟ କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମିଳିତ ଭାବେ ଗୁରୁବାର ଅନଗୁଳ ଗସ୍ତରେ ଆସି ତାଳଚେର ବଳରାମ ଦେଇ ଅନଗୁଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦଘାଟନ, ସମ୍ବଲପୁର ହାଓଡ଼ା ସାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ, କେନ୍ଦ୍ରୀୟ ବିଦ୍ୟାଳୟ-୨ ର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନରେ ଯୋଗଦେବେ। ଅନଗୁଳ ଜିଲ୍ଲାର ଦଶ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ତାଳଚେର ସାର କାରଖାନା ପାଇଁ ୧୩୫୦୦ କୋଟି, ଥର୍ମାଲ୍ ପ୍ଲାଣ୍ଟ ପାଇଁ ୧୦ହଜାର କୋଟି, ତାଳଚେର ମେଡିକାଲ କଲେଜ ପାଇଁ ୧୫୦୦ କୋଟି, କଟକ ସମ୍ବଲପୁର ଜାତୀୟ ରାଜପଥ ୪ ଲେନ୍ ବିଶିଷ୍ଟ ରାସ୍ତା, ତାଳଚେର ଡୁବୁରି ଜାତୀୟ ରାଜପଥ ଦୋହରୀକରଣ, ତାଳଚେର ବିମଳାଗଡ଼ ରେଳପଥ, ଅନଗୁଳ ସୁକିନ୍ଦା ରେଳପଥ, ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ, ଅନଗୁଳ ଜିଲ୍ଲାକୁ DMF ଫଣ୍ଡ ପ୍ରତିଷ୍ଠା କରି ଅଦ୍ୟାବଧି ୨୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରଦାନ କରିଛନ୍ତି। କିନ୍ତୁ ଦୀର୍ଘ ୪ ବର୍ଷ ହେଲା ତାଳଚେର ଥର୍ମାଲ୍ ପ୍ଲାଣ୍ଟ ଓ ମେଡିକାଲ କଲେଜ କରିବାରେ ରାଜ୍ୟସରକାର ବାଧକ ସାଜିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଅନଗୁଳ ଜିଲ୍ଲାକୁ ଆସୁଛନ୍ତି। ତାଙ୍କ ଗସ୍ତ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଓ ଉଦଘାଟନ କରୁଥିବା ପ୍ରକଳ୍ପ ଗୁଡିକ କେଉଁ ଅର୍ଥରେ ନିର୍ମିତ ହୋଇଛି ଓ ଏଥିରେ କେତେ ପ୍ରତିଶତ କେନ୍ଦ୍ରୀୟ ଅର୍ଥ ବିନିଯୋଗ ହୋଇଛି ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ MCL ଦ୍ଵାରା ୧୫୦୦ କୋଟି ବ୍ୟୟରେ ତାଳଚେର ମେଡିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। DMF, CSR ପାଣ୍ଠି ଓ କେନ୍ଦ୍ରୀୟ ଅନୁଦାନରୁ ନିର୍ମିତ ପ୍ରକଳ୍ପରେ କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତାର ପରିଚୟ ବୋଲି ବିଜେପି ଅଭିଯୋଗ କରିଛି।

ନରେନ୍ଦ୍ର ମୋଦୀ ସରକାର ଜଳ ଜୀବନ ମିସନ ଯୋଜନାରେ ସବୁ ଘରକୁ ପାଇପ୍ ଯୋଗେ ସ୍ଵଚ୍ଛ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୩୬୦୮ କୋଟି ଟଙ୍କା ଆମ ରାଜ୍ୟ ଓଡ଼ିଶାକୁ ଅଦ୍ୟାବଧି ଦେଇଛନ୍ତି। ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ଲକ୍ଷ ରଖାଯାଇଛି। କିନ୍ତୁ ଅନଗୁଳ ଜିଲ୍ଲାରେ ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ଅନଗୁଳ ଓ ବଅଁରପାଳ ବ୍ଲକ ମଧ୍ୟ ଏଥିରେ ସାମିଲ ଅଛି। କିନ୍ତୁ ରାଜ୍ୟ ସରକାର ମିଥ୍ୟା ପ୍ରଚାର କରି କେନ୍ଦ୍ର ଯୋଜନାକୁ ନିଜ ଷ୍ଟିକର ଲଗାଇବା ପାଇଁ ଅପଚେଷ୍ଟା କରୁଛନ୍ତି । କେବେ ସମଗ୍ର ଜିଲ୍ଲାରେ ସମସ୍ତ ଘରକୁ ସଠିକ ସମୟ ମଧ୍ୟରେ ଜଳଯୋଗାଣ କରିବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦୀ ସରକାର ୨୦୨୨ ସୁଦ୍ଧା ସବୁ କଚ୍ଚାଘରକୁ ପକ୍କା କରିବାକୁ ଲକ୍ଷ ରଖିଥିଲେ । କିନ୍ତୁ ରାଜ୍ୟ ସରକାର ସଠିକ ଲିଷ୍ଟ ମଧ୍ୟ କେନ୍ଦ୍ରସରକାରଙ୍କୁ ଦେଇ ପାରିଲେ ନାହିଁ ଏବଂ ଦଳୀୟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିଲେ। ଏବେ ୯.୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି। ଅନଗୁଳ ଜିଲ୍ଲାର ପ୍ରକୃତ ହିତାଧିକାରୀଙ୍କୁ ଆବାସ ମିଳିବ ନା ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। DMF ଫଣ୍ଡରେ ଜାତୀୟ ରାଜପଥର ବଅଁରପାଳ ଅନଗୁଳ ରାସ୍ତାରେ ପାଉଁଶ ପକାଇ ୯କୋଟି ଟଙ୍କା ଠିକାଦାର ପୋଷଣ କରିବା କାହା ସ୍ୱାର୍ଥରେ। DMF ଫଣ୍ଡର ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ CBI ତଦନ୍ତ କିମ୍ବା CAG ଅଡିଟ ପାଇଁ ସୁପାରିସ କରିବେ କି ମୁଖ୍ୟମନ୍ତ୍ରୀ। ଶାସକ ଦଳର ବିଧାୟକ କମ୍ପାନୀ ମାନଙ୍କ ଠାରୁ ଚାନ୍ଦା ଆଦାୟ ପାଇଁ କୋଇଲା ଖଣି ବାରମ୍ବାର ବନ୍ଦ କରି ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି କରିବା ସହ ଶ୍ରମିକମାନଙ୍କ ପେଟରେ ଲାତ ମାରୁଛନ୍ତି। ଏଦିଗରେ ମୁଖ୍ୟମନ୍ତ୍ରୀ ଜାଣି ଅଜଣା କାହିଁକି। ଅନଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ମଞ୍ଚ ଓଡିଶା ସରକାରଙ୍କ ମଞ୍ଚ ନା ସରକାରୀ ଦଳର ମଞ୍ଚ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏ ସମସ୍ତଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଭାଜପା ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ପ୍ରତିମା ମିଶ୍ର, ବରିଷ୍ଠ ନେତା ଯଜାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ ଗଡନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *