Spread the love

Angul News: ଅନୁଗୁଳ: ଓ. ପି. ଜିନ୍ଦଲ ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୪ ତମ ଜନ୍ମ ବାର୍ଷିକୀକୁ ବେଶ ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଗୁଳ ପ୍ଲାଂଟ ଏବଂ ଆଖପାଖ ଅଂଚଳରେ ପାଳନ କରାଯାଇଛି । ସକାଳେ ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଶ୍ରୀ ଓ. ପି. ଜିନ୍ଦଲ (ବାଉଜୀ)ଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ବହୁ ବରିଷ୍ଠ ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଂଚଳର ଗ୍ରାମବାସୀ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନିତ ପ୍ରତିଷ୍ଠାତାଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ ।

ଶ୍ରୀ ପଙ୍କଜ ମଲହାନ ତାଙ୍କ ସମ୍ଭୋଧନରେ ଶ୍ରୀ ଓ.ପି ଜିନ୍ଦଲଙ୍କ ଦୂରଦୃଷ୍ଟୀ ଏବଂ କଂପାନୀ ତଥା ସମାଜ ପାଇଁ ତାଙ୍କର ଦୃଷ୍ଟିକୋଣ ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ଅବସରରେ ଶ୍ରୀ ଦାମୋଦର ମିତଲ ବାଉଜୀଙ୍କ ସହ କାର୍ଯ୍ୟ କରିବାର ନିଜ ବ୍ୟକ୍ତିଗତ ଅଭିଜ୍ଞତା ବିଷୟରେ ପ୍ରକାଶ କରି କହିଥିଲେ ଯେ, ଶ୍ରୀ ଓ.ପି ଜିନ୍ଦଲ କିପରି ସ୍ଵଦେଶୀ ଜ୍ଞାନ କୌଶଳ ଦ୍ଵାରା ଏବଂ ସ୍ଵଦେଶୀ କଞ୍ଚାମାଲ୍ ର ବ୍ୟବହାର କରି ଉତ୍କୃଷ୍ଟ ମାନର ଇସ୍ପାତ ନିର୍ମାଣ କରିହେବ ସେଥି ନିମନ୍ତେ ସେ ସର୍ବଦା ପ୍ରୟାସରତ ଥିଲେ ଏବଂ ଆଜି ଆମର ସଫଳତା ପଛରେ ତାଙ୍କର ହିଁ ମାର୍ଗ ଦର୍ଶନ ଏବଂ ଆଶୀର୍ବାଦ ସର୍ବଦା ରହିଅଛି ।

ଶ୍ରୀ ସୁବାଷ ଜୈନ, ଶ୍ରୀ ଅତୁଲ ଦୁବେ, ଶ୍ରୀ ଏସ୍.କେ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଜେଏସପି ଅଧିକାରୀ ମଧ୍ୟ ବାଉଜୀଙ୍କ ଜୀବନୀ ବିଷୟରେ ପ୍ରେରଣାଦାୟୀ କଥା ସବୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଜେଏସପି ଫାଉଣ୍ଡେସନ୍ ଏବଂ ଓଡ଼ିଶା ରକ୍ତଭଣ୍ଡାର , ଅନୁଗୋଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ୬ ଅଗଷ୍ଟ ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ଜେଏସପି କର୍ମଚାରୀ ଏବଂ ସହଯୋଗୀ ୧୮୩ ୟୁନିଟ୍ ରକ୍ତ ଦାନ କରିଥିଲେ । ଯାହା ଅନୁଗୁଳ ଜିଲ୍ଲାରେ ଅନେକ ଜୀବନ ରକ୍ଷା ପାଇଁ ସହାୟକ ହୋଇପାରିବ ।

ଏହି ଅବସରରେ ରାଜ୍ୟସ୍ତରୀୟ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ-୨୦୨୪, ଅନୁଗୋଳ ମଧ୍ୟ ପିଟିସି ଗ୍ରାଉଣ୍ଡରେ ଉଦଘାଟିତ ହୋଇଥିଲା । ଟୁର୍ଣ୍ଣାମେଂଟର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍, ଅନୁଗୁଳ ଶ୍ରୀ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ଶ୍ରୀ କିଶୋର କୁମାର କର, ଓ.ପି ଜିନ୍ଦଲ କମ୍ୟୁନିଟି କଲେଜର ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ ପାତ୍ର ଏବଂ ଜେଏସପି, ଅନୁଗୁଳ ସିଏସଆର ବିଭାଗୀୟ ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଏହି ଟୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା ୧୮ ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଖେଳାଯିବ।

ଜନ୍ମ ଜୟନ୍ତୀ ଅବସରରେ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା । ଅନୁଗୁଳ ଜିଲ୍ଲା ର ୨ଟି ଜାଗୃତି ହୋମ୍ସ , ସାଇନାଥ ବୃଦ୍ଧାଶ୍ରମ , ଦିଶା ବୃଦ୍ଧାଶ୍ରମ ସମେତ କେଦାରଗୗରୀ ଚକ୍ଷୁହିନ ବୃତିଗତ ବିଦ୍ୟାଳୟ ଏବଂ ରେଡକ୍ରସ ସ୍ୱତନ୍ତ୍ର ଅନ୍ଧ, ମୁକ ଓ ବଧିର ଆବାସିକ ବିଦ୍ଯାଳୟରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା । ସେହିପରି ଗୋପାଳ ଗୋଶାଳା, ପଂଚମହଲ ଗୋଶାଳା ଏବଂ ଗୋ ସେବା ଡାଏରୀକୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ଏହି ଅବସରରେ ଓ.ପି ଜିନ୍ଦଲ ସ୍କୁଲ, ଜିନ୍ଦଲ ଆଶା କେନ୍ଦ୍ର ଏବଂ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ ବାଉଜୀଙ୍କ ସମ୍ମାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସନ୍ଧ୍ୟାରେ ଜିନ୍ଦଲ ନଗର ଟାଉନସିପରେ ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏଥିରେ ଲୋକପ୍ରିୟ କଣ୍ଠଶିଳ୍ପୀ କବିତା ପୌଡ଼ୱାଲ ଏବଂ ତାଙ୍କ ଟିମ୍ ଭଜନ ପରିବେଷଣ କରିଥିଲେ ଏବଂ ପ୍ଳାଣ୍ଟ ପରିସରରେ ଥିବା ଶ୍ରମିକ ବିହାର ରେ ମଧ୍ୟ ଏକ ଭଜନ ସନ୍ଧ୍ୟାର ଆୟୋଜନ କରଯାଇଥିଲା।

ଭାରତର ଆର୍ଥିକ ତଥା ସମାଜିକ ବିକାଶ କ୍ଷେତ୍ରରେ ଶ୍ରୀ ଓ.ପି ଜିନ୍ଦଲଙ୍କ ଅବଦାନ ଅତୁଳନୀୟ । ଭାରତୀୟ ଇସ୍ପାତ ଶିଳ୍ପ ଉପରେ ତାଙ୍କ ଅବଦାନ ପାଇଁ ୨୦୦୪ ମସିହାରେ ବେଙ୍ଗଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ତାଙ୍କୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ତାଙ୍କ ପରଲୋକ ସମୟରେ ସେ ହରିୟାଣା ସରକାରରେ ଶକ୍ତିମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ଏକାଦଶ ଲୋକସଭାର ସଦସ୍ୟ ଥିଲେ ।

Leave a Reply

Your email address will not be published. Required fields are marked *