ଅନୁଗୋଳ: ଆଜି ପୂର୍ବାର୍ହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧିଦଳ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଅନୁଗୋଳ ରେଳ ଷ୍ଟେସନଠାରେ ଷ୍ଟେସନ ମାଷ୍ଟରଙ୍କୁ ତୁରନ୍ତ ଅନୁଗୋଳ ପୁରୀ ମେମୋ ଟ୍ରେନ ଚଳାଚଳ କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କରୋନା ମହାମାରୀର ଭୟାବହତାକୁ ଉପଲବ୍ଧି କରି ଅନୁଗୋଳ ପୁରୀ ମେମୋ ଟ୍ରେନ ସମେତ ଅନେକ ଟ୍ରେନ ଆଜିଯାଏ ବନ୍ଦ ରହିଛି। ଫଳରେ ଦୈନିକ ଉକ୍ତ ଟ୍ରେନକୁ ଭରସା ରଖିଥିବା ବହୁ ଚାକିରିଆ ଓ ବିଭିନ୍ନ ବର୍ଗର ଲୋକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆହୁରି ମଧ୍ୟ ଅନୁଗୋଳରୁ କଟକ, ଭୁବନେଶ୍ବର, ଢେଙ୍କାନାଳ ଆଦି ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ଏହି ଟ୍ରେନ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି। ସମ୍ବଲପୁର ପୁରୀ ଇଣ୍ଟରସିଟି ମଧ୍ୟ ବନ୍ଦ କରି ରଖିଥିବା ଯୋଗୁଁ ଜନତା ବହୁତ ହଇରାଣ ହେଉଥିବା ଦେଖାଯାଉଛି। ଏଣୁ ଯଥାଶୀଘ୍ର ଉକ୍ତ ଟ୍ରେନକୁ ଚଳାଇବା ସହ ଯାତ୍ରୀ ମାନଙ୍କୁ ସ୍ପେଶିଆଲ ଦରରେ ଭଡା ନ ନେଇ ପୂର୍ବଭଳି ଭଡା ନେବାକୁ ଦାବି କରିଛନ୍ତି। ଯାତ୍ରୀ ମାନଙ୍କୁ ପୂର୍ବରୁ ଟିକଟ କାଟିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଥିଲା ତାହା ଅବିଳମ୍ବେ ଚାଲୁ କରିବାକୁ ଦାବି କରିଥିଲେ। ଉପରୋକ୍ତ ଦାବି ଗୁଡ଼ିକ ପ୍ରତି ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଉକ୍ତ ଦାବି ପତ୍ର ଦ୍ବାରା ଜଣାଇ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ଉପସଭାପତି ଚିତ୍ତ ରଂଜନ ନାଏକ, ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ, ମିଡିଆ ସେଲ ଅଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ରାଜ୍ୟ ଏସସି ସେଲ ଆବାହକ ଟିକନ ବେହେରା, ଜିଲ୍ଲା ଏସସି ସେଲ ଅଧ୍ୟକ୍ଷ ନିଳକଣ୍ଠ ନାଏକ, ଅନୁଗୋଳ ଜିଲ୍ଲା ମହିଳା ସଭାନେତ୍ରୀ ତପସ୍ଵିନୀ ବିଶ୍ବାଳ, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, ସଂଗ୍ରାମ ବେହେରା, ଅଳକା ରାଣୀ ମହାପାତ୍ର, ପ୍ରଶାନ୍ତ ବିଶ୍ବାଳ, ହେମନ୍ତ ମହାଳିକ, କୈଳାଶ ପ୍ରଧାନ, କାମାକ୍ଷା ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ ।