Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓମଫେଡ଼ କ୍ଷୀର ଦରବୃଦ୍ଧି ପ୍ରତ୍ୟାହାର କରିବା, ଛଟେଇ କରିଥିବା ଓମଫେଡ଼ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି କରିବା, ରନ୍ଧନ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ବନ୍ଦ କରିବା ଦାବିରେ ବୁଧବାର ସକାଳେ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, ଅନୁଗୋଳ ଜିଲ୍ଲା କମିଟି ଉଦ୍ୟୋଗରେ ଅମଲାପଡ଼ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନୁଗୋଳ ବସଷ୍ଟାଣ୍ଡଠାରେ ଜିଲ୍ଲା ସମ୍ପାଦିକା ମାନସୀ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସରୋଜିନୀ ନାୟକ ଯୋଗଦେଇ କହିଥିଲେ କି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଲଗାତାର ଅହେତୁକ ଦରବୃଦ୍ଧି ଫଳରେ ଜନଗଣଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏପରିସ୍ଥଳେ ଶିଶୁ, ରୋଗୀ, ମହିଳା ଓ ଜନଗଣଙ୍ର ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକୀୟ ଓମଫେଡ଼ କ୍ଷୀରର ଦରବୃଦ୍ଧି ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ। ଓମଫେଡ଼ କ୍ଷାରର ମାନମଧ୍ୟ ପୂର୍ବ ତୁଳନାରେ ଯଥେଷ୍ଟ କମିଯାଇଛି। ମାତ୍ର ଦାମ ବଢିବଢି ଚାଲିଛି। ତେଣୁ ଓମଫେଡ ସଂସ୍ଥା ଅବିଳମ୍ବେ ଦରବୃଦ୍ଧି ପ୍ରତ୍ୟାହାର କରିବା ସହିତ କ୍ଷାରର ମାନ ବୃଦ୍ଧି କରୁ ବୋଲି ଦାବି କରିଛନ୍ତି। ଏଥିରେ ଜିଲ୍ଲା ସଂଗଠିକା ମିନତୀ ସାମଲ, ଜମ୍ବୁବତୀ ସାହୁ, ବିନତୀ ସାହୁ, ବବିତା ସାହୁ ମଧ୍ୟ ସାମିଲ ଥିଲେ। ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଓମଫେଡ ସଂସ୍ଥାର ପରିଚାଳନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *