ଅନୁଗୋଳ: ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀ ଅବବାହିକାରେ ପୁନଃ ପ୍ରାକୃତିକ ପର୍ଯ୍ୟାୟରେ ଘଡ଼ିଆଳ ବଂଶ ବୃଦ୍ଧି ହେବା ନେଇ ଆଶା ସଞ୍ଚାରିତ ହୋଇଛି । କିଛି ମାସ ପୂର୍ବରୁ ପ୍ରାକୃତିକ ପରିବେଶରେ ପ୍ରାୟ ୨୮ଟି ଛୁଆ ଫୁଟାଇ ବିଶ୍ୱସ୍ତରରେ ସାତକୋଶିଆକୁ ପରିଚିତ କରାଇପାରିଥିଲେ ଏହି ଉଭୟ ଅଣ୍ଡିରା ଓ ମାଈ ପ୍ରଜାତିର ଘଡ଼ିଆଳ । ଏବେ ଉଭୟ ଯୋଡିଙ୍କ ପୁନଃ ଆବିର୍ଭାବ ହେବା ଓ ସେମାନଙ୍କୁ ଇତି ମଧ୍ୟରେ ବଳଦମରା ଘାଟରେ ଠାବ କରାଯିବା ପରେ ଏହା ପ୍ରକୃତି ଓ ପରିବେଶପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ ମାସରେ ଏହି ଯୋଡି ପ୍ରାୟ ୨୮ଟି ଘଡ଼ିଆଳ ଅଣ୍ଡା ଦେବା ପରେ ସାତକୋଶିଆର ବଳଦମରା ଘାଟ ଅଞ୍ଚଳରେ ଛୁଆ ଫୁଟାଇ ଥିଲେ । କିନ୍ତୁ ସେତେବେଳେ ବନ ବିଭାଗ ଅଧିକାରୀଙ୍କ ଅନଭିଜ୍ଞତା କାରଣରୁ ସେସବୁ ସମ୍ପୃକ୍ତ ଅଞ୍ଚଳରୁ ଉଭାନ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। ଅବଶ୍ୟ ସେଥିମଧ୍ୟରୁ ପରବର୍ତ୍ତୀ ସମୟରେ ଗୋଟିଏ ଶାବକକୁ କେନ୍ଦ୍ରାପଡା ଓ ଅନ୍ୟ ଗୋଟିକୁ ଆଠଗଡ ଅଞ୍ଚଳରେ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା ।
ଅନୁଗୋଳରୁ ସୁବ୍ରତ ପଟ୍ଟନାୟକଙ୍କ ରିପୋର୍ଟ