Spread the love

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତ ରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ବଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଲଙ୍ଗ , ତଳସିରା , ଲବଙ୍ଗୀ , ଜୁକୁବୁ , ପମ୍ପାସର ଆଦି ଗ୍ରାମର ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଅନୁଗୁଳ ଜିଲାପାଳ ଙ୍କ ଅଫିସ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ସମ୍ପୃକ୍ତ ପଞ୍ଚାୟତବାସୀ ସ୍ଥାନୀୟ ଷ୍ଟାଡିୟମ ସମୁଖରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ । ପରେ ପରେ ବଲଙ୍ଗ ଗ୍ରାମ ସଭାପତି ବିଜୟ ସାହୁ ଙ୍କ ପରିଚାଳନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହିକ୍ରମରେ ଏସୟୁସିଆଇ କମ୍ୟୁନିଷ୍ଟ ର ଜିଲା କମିଟି ସଭ୍ୟ ନବକିଶୋର ପ୍ରଧାନ , ମାନସ ପାଳ ଙ୍କ ସମେତ ଦିବାକର ବେହେରା , ବାଦଲ ଦେହୁରୀ , ଦୁର୍ଯ୍ୟୋଧନ ଜେନା , ଆଲୋକ ଚନ୍ଦ୍ର ସାହୁ , ଛାତ୍ର ନେତା ନାରାୟଣ ନାୟକ ଏବଂ ସ୍ଥାନୀୟ ସରପଞ୍ଚ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ ।
ଅଭିଯୋଗ ଅନୁସାରେ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କ୍ରମାନ୍ଵୟରେ ଶିକ୍ଷକ ମାନେ ଡେପୁଟେସନ ରେ ଯାଉଥିବା ରୁ ବର୍ତ୍ତମାନ ପରିସ୍ଥିତିରେ ଅନେକ ଶିକ୍ଷକ ପଦବୀ ଖାଲି ପଡି ରହିଛି । ଫଳରେ ଦୀର୍ଘ ଦିନ ହେବ ଉକ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉନ୍ନତ ଶିକ୍ଷା ପାଇଁ ଦହଗଞ୍ଜ ହେଉଛନ୍ତି ।
ଏହାଛଡା ସମ୍ପୃକ୍ତ ବିଦ୍ୟାଳୟ ଟି ସାତକୋଶିଆ ଅଭୟାରଣ୍ୟ ଇଲାକାରେ ରହିଥିବାରୁ ଛାତ୍ରଛାତ୍ରୀ ମାନେ ଅନଲାଇନ ଶିକ୍ଷା ରୁ ମଧ୍ୟ ବଞ୍ଚିତ ହୋଇଆସୁଛନ୍ତି । ଏଭଳି କିଛି ଅସୁବିଧା ସଂକ୍ରାନ୍ତରେ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ସମ୍ପୃକ୍ତ ଅଞ୍ଚଳବାସୀ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ପ୍ରକାଶ ।
ଅନ୍ୟପକ୍ଷରେ ଆଜି ବିକ୍ଷୋଭକାରୀ ଙ୍କ ପକ୍ଷରୁ ଘଟଣା ସଂକ୍ରାନ୍ତରେ ପୁନର୍ବାର ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିବା ବେଳେ , ଆସାନ୍ତା ଗୁରୁବାର ସୁଦ୍ଧା ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ସମସ୍ୟା ର ସମାଧାନ ର ପ୍ରତିଶ୍ରୁତି ମିଳିବା ପରେ ପଞ୍ଚାୟତ ବାସୀ ଆନ୍ଦୋଳନ ରୁ ହଟିଛନ୍ତି ।
ସେପଟେ ଆଜି ପଞ୍ଚାୟତବାସୀ ଙ୍କ ଆନ୍ଦୋଳନ କୁ ଆଖି ଆଗରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *