ଭୁବନେଶ୍ବର: ଚିରନିଦ୍ରାରେ ଶତାୟୁ ଶିକ୍ଷକ। କୋରୋନାରେ ସଂକ୍ରମିତ ହୋଇ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଜପୁରର ପଦ୍ମଶ୍ରୀ ଶତାୟୁ ନନ୍ଦ କିଶୋର ପୃଷ୍ଟି। ମୃ୍ତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। କୋରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କର ନାତି ଖଗେଶ୍ବର ପୃଷ୍ଟି ସୂଚନା ପ୍ରଦାନ କରିଛନ୍ତି। ଆଜି ଦିନ ପ୍ରାୟ ୧.୨୮ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ ପୃଷ୍ଟି ସାର୍ । ନନ୍ଦ ସାର ନିଜ ଗାଁରେ ୮ ଦଶନ୍ଧୀରୁ ଉର୍ଦ୍ଧ୍ବ ସମୟ ଧରି ପିଲାମାନଙ୍କୁ ନିସ୍ବାର୍ଥପର ତଥା ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ।କେହି କେହି ତାଙ୍କ ଚାଟଶାଳୀକୁ ମଣିଷ ଗଢା କାରଖାନା ମଧ୍ୟ କହୁଥିଲେ। ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର୍। ଗାଁର ଛୋଟ ଛୋଟ ପିଲାଙ୍କୁ ଦଶନ୍ଧି ଦଶନ୍ଧି ଧରି ସେ ମାଗଣାରେ ପାଠ ପଢ଼ାଉଥିଲେ। ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶବ୍ୟାପୀ ପରିଚିତ କରିଥିଲା। ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ନନ୍ଦ ସାର୍ ସମ୍ମାନଜନକ ପଦ୍ମଶ୍ରୀ ଗ୍ରହଣ କରିଥିଲେ।
ନନ୍ଦ ସାରଙ୍କ ଚାଟଶାଳୀ ଆଉ ତାଙ୍କ ମହାନତା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ପଦ୍ମଶ୍ରୀ ସମ୍ମାନ ପାଇଁ ତାଙ୍କୁ ବାଛିଥିଲେ କେନ୍ଦ୍ର ସରକାର । ଆଉ ନଭେମ୍ବର ୯ ତାରିଖରେ ସେ ରଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ରାଷ୍ଟ୍ରପତି ଭବନରେ ନନ୍ଦ ସାରଙ୍କ ନାଁ ଘୋଷଣା ପରେ ଖାଲି ପାଦରେ ସେ ଚାଲି ଚାଲି ଯିବା ଓ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ପୂର୍ବରୁ ତାଙ୍କୁ ଆଶୀର୍ବାଦ ଦେବାର ଚିତ୍ର ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।
ପିଲାଙ୍କୁ ପାଠ ପଢାଇ ମଣିଷ କରିବା ଯାହାଙ୍କ ନିଶା, ସମସ୍ତଙ୍କୁ ମଙ୍ଗଳକାମନା କରି ଆଶୀର୍ବାଦ ଦେଉଥିବା ହାତ ରାଷ୍ଟ୍ରପତିଙ୍କ ପାଖରେ କେମିତି ବା ଅଟକି ଯାଇଥାନ୍ତା । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ନନ୍ଦ ସାରଙ୍କୁ ସମ୍ମାନିତ କରିବା ପାଇଁ ରାଷ୍ଟ୍ରପତି ଉଠିବା ମାତ୍ରେ ଦେଶରେ ପ୍ରଥମ ନାଗରିକଙ୍କୁ ଆଶୀର୍ବାଦ ଦେବାକୁ ଆପେ ଆପେ ଉଠିଯାଇଥିଲା ତାଙ୍କ ହାତ ।
ସେପଟେ ଶତାୟୁ ଶିକ୍ଷକ ନନ୍ଦ ସାରଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି।ଟ୍ବିଟମାଧ୍ୟମରେ ସେମାନେ ନିଜର ଶୋକ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଶିଷ୍ଟ ନେତୃବନ୍ଦ ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରି ଓଡ଼ିଆରେ ଲେଖିଛନ୍ତି କି ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ୟ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି କି ନନ୍ଦ କିଶୋର ପୃଷ୍ଟି ଜୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ। ଓଡ଼ିଶାର ପିଲା ମାନଙ୍କୁ ମାଗଣା ଶିକ୍ଷାଦାନରେ ତାଙ୍କର ଅଗ୍ରଣୀ ଭୂମିକା ପାଇଁ ନିକଟ ଅତୀତରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ମହାନ ବ୍ୟକ୍ତିଙ୍କର ନିଃସ୍ୱାର୍ଥପର ସେବା ପାଇଁ ସାରା ଦେଶରେ ସେ ଚିର ସ୍ମରଣୀୟ ହୋଇ ରହିବେ।
ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି କି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ବିନା ପାରିଶ୍ରମିକରେ ତିନି ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।