ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ସେପଟେ ଭକ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଣୁ ଯଥାଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଯୋଜନା ହୋଇଛି। କିନ୍ତୁ ଧାଡ଼ି ଦର୍ଶନ ପାଇଁ ଯେଉଁ ରୢାମ୍ପ ପ୍ରସ୍ତୁତ ହୋଇଥିଲା ସେଥିରେ ତ୍ରୁଟି ଥିବା ଜଣାପଡ଼ିଛି। ପରିଚାଳନା କମିଟି ସଦସ୍ୟ ଏହାକୁ ଭୁବନେଶ୍ବରରେ ଯାଞ୍ଚ କଲାବେଳେ ଏଥିରେ ତ୍ରୁଟି ସନ୍ଧାନ କରିଛନ୍ତି। ପୂର୍ବରୁ ଥିବା ପରିଚାଳନା କମିଟି ଏହି ରୢାମ୍ପ୍ର ମଡେଲ୍କୁ ସ୍ବୀକୃତି ଦେବା ସହ ପ୍ରସ୍ତୁତ ହେବା ପରେ ଏହାକୁ ଯାଞ୍ଚ କରିଥିଲା। ହେଲେ ଏହା ସମସ୍ୟା ସୃଷ୍ଟି କରିପାରେ। ନୂଆ କମିଟି ପ୍ରଥମ ଥର ପାଇଁ ଦୀର୍ଘ ଦେଢ଼ଘଣ୍ଟା ଏହି ରୢାମ୍ପ୍ ଦେଖିବା ପରେ ତ୍ରୁଟି ସଂଶୋଧନ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ପରାମର୍ଶ ଦେଇଛି। ଯଥାଶୀଘ୍ର ଏହି ତ୍ରୁଟି ସଂଶୋଧନ କଲେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କିନ୍ତୁ ଚଳିତବର୍ଷ ଆଉ ଧାଡ଼ି ଦର୍ଶନ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ସେପଟେ ଧାଡି ଦର୍ଶନ ନ କରିବାକୁ ବୁଦ୍ଧିଜୀବିଙ୍କ ମତ।
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଭୁବନେଶ୍ୱରରେ ତିଆରି ସରିଛି ସ୍ୱତନ୍ତ୍ର ରାମ୍ପ। ମାତ୍ର ଏହି ରୢାମ୍ପର ଆକାର ଅଧିକ ବଡ଼ ହୋଇଛି। ଫଳରେ ମହାପ୍ରଭୁଙ୍କ ନୀତି ଚାଲୁଥିବା ସମୟରେ ଏହାକୁ ହଟାଯିବା ଅର୍ଥାତ୍ ଠାକୁରଙ୍କ ସାମନାରୁ ବା ଜୟବିଜୟ ଦ୍ବାର ସାମନାରୁ ହଟାଯାଇବା ସମୟ ସାପେକ୍ଷ । ଏମନ୍ତ ବ୍ୟତିତ ଯେଉଁ ପାର୍ଶ୍ବରେ ଏହାକୁ ରଖାଯିବ ସେ ସ୍ଥାନକୁ ସଂକୁଚିତ କରିଦେବ। ଏଣୁ ସେବାୟତ ମାନଙ୍କର ଯାତାୟାତରେ ସମସ୍ୟା ହେବ। କେବଳ ସେତିକି ନୁହେଁ ଏହାକୁ ହଟାଇବା ପାଇଁ ଅତି କମ୍ରେ ୧୦ ଜଣ ଲୋକ ଦରକାର। ଏଭଳି ତିନୋଟି ସିଫ୍ଟରେ ୩୦ ଜଣ ଲୋକ ଆବଶ୍ୟକ। ବାରିକେଡ୍ ହଟାଇବା ପାଇଁ ୧୫ ମିନିଟ୍ ଓ ପକାଇବା ପାଇଁ ୨୦ ମିନିଟ୍ ଲାଗିବ। ସାଧାରଣ ଦିନରେ ଅତି କମ୍ରେ ୨ ଥର ଓ ସ୍ବତନ୍ତ୍ର ନୀତି ସମୟରେ ୬ରୁ ୮ ଥର କଢ଼ାଯିବ। ଶ୍ରୀମନ୍ଦିରର ସ୍ବତନ୍ତ୍ର ନୀତି ଯଦି ହିସାବକୁ ଅଣାଯାଏ ତେବେ ବର୍ଷକୁ ବା ୩୬୫ ଦିନରୁ ଚନ୍ଦନ ଯାତ୍ରା ୪୨ ଦିନ, ଗୁରୁବାରରେ ଏକାନ୍ତ ନୀତି ୪୮ ଦିନ, ଅମାବାସ୍ୟା ୧୨ ଦିନ ଛଡ଼ା ଷୋଳପୂଜା, ସୁଦର୍ଶନ ବିଜେ, ସ୍ନାନପୂର୍ଣ୍ଣିମା, ରାମଜନ୍ମ, କୃଷ୍ଣଜନ୍ମ, ବନକଲାଗି ପ୍ରଭୃତି ପାଇଁ ୨ଶହ ଦିନ ରହିଛି। ଏଣୁ କେବଳ ହଟାଇବା ଓ ପକାଇବା ପାଇଁ କଣ କରାଯାଇ ପାରିବ ସେ ନେଇ ସ୍ବତନ୍ତ୍ର ଭାବେ ଆଲୋଚନା ହେବା ଆବଶ୍ୟକ। ଏ ସବୁ ସରିବା ପରେ ଟେକ୍ନିକାଲ କମିଟି ଏହି ରୢାମ୍ପ୍ ଯାଞ୍ଚ କରିବା ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।
ଧାଡ଼ି ଦର୍ଶନକୁ ନେଇ ଦୀର୍ଘଦିନ ହେବ ବାଦବିବାଦ ଜାରି ରହିଛି। ଚଳିତବର୍ଷ ଜାନୁଆରି ମାସ ୨୮ତାରିଖରୁ ପରୀକ୍ଷା ମୂଳକ ଭାବରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ବଡ଼ ଦିନ ଛୁଟି, ନୂଆବର୍ଷ ଓ ଗଙ୍ଗା ସାଗର ଯାତ୍ରୀଙ୍କ ଭିଡ଼ ହେବାକୁ ଥିବା ଦର୍ଶାଇ ପ୍ରଶାସନ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା। ଏହା ପରେ ଫେବ୍ରୁଆରି ୨୨ତାରିଖରୁ ଆରମ୍ଭ କରିବାକୁ ଘୋଷଣା କରିଥିଲା। ଏବେ ନୀତି ବହୁଳ କାର୍ତ୍ତିକ ମାସ ପରେ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଘୋଷଣା କରାଯାଇଥିଲା। ହେଲେ ରୢାମ୍ପରେ ଥିବା ତ୍ରୁଟି ଏହି ବ୍ୟବସ୍ଥାକୁ ବିଳମ୍ବିତ କରିଛି। ଅନ୍ୟପଟେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିଭିନ୍ନ ମହଲରେ ବିରୋଧ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ବ୍ୟବସ୍ଥା ରହିଛି। ସାଧାରଣ ଭକ୍ତଙ୍କ ଠାରୁ ଏ ନେଇ ପ୍ରସ୍ତାବ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଅନ୍ୟପଟେ ପୂର୍ବରୁ ଏହି ରୢାମ୍ପ୍ ଉପରେ ଭକ୍ତଙ୍କୁ ଛିଡ଼ା କରି ପରୀକ୍ଷା କରାଯାଇଥିଲା। ଏକ ସମୟରେ ମାତ୍ର ୨ଶହରୁ ୩ଶହ ଭକ୍ତ ଛିଡ଼ା ହୋଇ ପାରିଥିଲେ। ଶ୍ରୀମନ୍ଦିରକୁ ଦୈନିକ ୫୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ ଆସୁଛନ୍ତି। ସ୍ବତନ୍ତ୍ର ନୀତି ସମୟରେ ଏହି ସଂଖ୍ୟା ଲକ୍ଷେ ଛୁଉଁଛି। ଏଣୁ ଏହି ରୢାମ୍ପ୍ ଦୀର୍ଘକାଳୀନ ସମାଧାନ ପନ୍ଥା ନୁହେଁ ବୋଲି କୁହାଯାଉଛି।
