ଚାନ୍ଦବାଲି,୨/୧୦: କରୋନା ପାଇଁ ଏବେ ସବୁଠି କଟକଣା । ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ବି କରୋନା ମାଡ଼ରେ ବଙ୍କା ହୋଇଗଲାଣି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଏବେ ନିରାଶ ହୋଇଛନ୍ତି । ଏମିତି ସମୟରେ ଗୋଟିଏ ମାଛ ବିକ୍ରିକରି ଲକ୍ଷପତି ହୋଇଛନ୍ତି ଜଣେ ଧୀବର । ଏମିତି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ । ଏହାକୁ ନେଇ ଚାନ୍ଦବାଲି ସମେତ ଏବେ ପୂରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ମାଛ ୧ଲକ୍ଷ ୭୬ ହଜାର ଟଙ୍କାରେ ବିକ୍ରି ହୋଇଛି । ଦର ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ଏହା ସତ୍ୟ । ଏହି ମାଛର ନାମ ତେଲିଆ ମାଛ । ଚାନ୍ଦବାଲି ବ୍ଲକ ଚନ୍ଦିନୀପାଳ କଣ୍ଟାରେ ଏହି ମାଛର ନିଲାମ ଡକା ଯାଇଛି । ଜଣେ ଲୋକ ଏହାର କେଜି ପ୍ରତି ଦର ୮ ହଜାର ଟଙ୍କାରେ କିଣି ଏକ ମେଡିସିନ କମ୍ପାନୀକୁ ବିକ୍ରି କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଚାନ୍ଦବାଲିର ଚନ୍ଦିନୀପାଳ କଣ୍ଟାରେ ଶୁକ୍ରବାର ଏପରି ଏକ ବିଶାଳ ମାଛର ନିଲାମ ଡକାଯାଇଥିଲା । ମାଛ ନେବା ପାଇଁ ନିଲାମଧାରୀଙ୍କର ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । କଣ୍ଟାରେ ଥିବା ମାଛର ଦର କିଲୋ ପ୍ରତି ୬ ହଜାରରୁ ବଢ଼ି ବଢ଼ି ୮ହଜାର ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଜଣେ ନିଲାମଧାରୀ ଏହି ମାଛକୁ ବମ୍ବେର ଏକ ମେଡିସିନ କମ୍ପାନୀକୁ କେଜି ପ୍ରତି ୮ହଜାର ଟଙ୍କାରେ ବିକ୍ରି କରିଥିଲେ । ୨୨କେଜିର ଏହି ବିରାଟ ମାଛ ମୋଟ ୧ଲକ୍ଷ ୭୬ହଜାର ଟଙ୍କାରେ ବିକ୍ରି ହୋଇଥିଲା ।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି ଲଘୁଚାପ ବର୍ଷା ଲାଗିରହିଥିଲା । ଏହି ସମୟରେ ତାଳଚୁଆ ଅଞ୍ଚଳର ଜଣେ ଧୀବର ଏହି ମାଛକୁ ଗଭୀର ସମୁଦ୍ର ମଧ୍ୟରୁ ଧରିଥିଲେ । ମାଛ ଧରିବା ପରେ ବିକ୍ରି ପାଇଁ କରୋନା କଟକଣା ଥିବାରୁ କୋଲକାତା ଯାଇନପାରି ସେ ଚାନ୍ଦବାଲିର ଚନ୍ଦିନୀପାଳ ଅଞ୍ଚଳକୁ ଚାଲି ଆସିଥିଲେ । ଏଠାରେ ନନ୍ଦ ମଣ୍ଡଳ ନାମକ ଜଣେ କଣ୍ଟା ମାଲିକଙ୍କ କଣ୍ଟାରେ ଏହି ମାଛର ନିଲାମ ଡକାଯାଇଥିଲା । ପୂର୍ବରୁ ସମାନ ଧରଣର ଦୁଇଟି ମାଛ ଧରାଯାଇଥିଲା । ହେଲେ ତାହା କେଜି ପ୍ରତି ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଏହି ତେଲିଆ ମାଛର କେଜି ପିଛା ଦର ଆଗରୁ କେବେ ୮ ହଜାର ଟଙ୍କା ହୋଇନଥିବା କୁହାଯାଉଛି ।