ଅନୁଗୁଳ: କେନ୍ଦ୍ର ବିଜେପି ସରକାର ଦ୍ୱାରା ଶ୍ରମିକ ଶ୍ରେଣୀର କଷ୍ଟାର୍ଜିତ ୨୯ଟି ଶ୍ରମ ଆଇନ୍କୁ ଉଚ୍ଛେଦ କରି ପ୍ରଣୟନ କରାଯାଇଥିବା ଶ୍ରମିକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ୪ଟି ଶ୍ରମକୋଡ୍କୁ ବାତିଲ କରିବା, ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ ସଂସ୍ଥାଗୁଡିକର ଘରୋଇକରଣ ବନ୍ଦ କରିବା, ପଛଦ୍ୱାର ବାଟଦେଇ ଘରୋଇକରଣର ନୂଆ ଫର୍ମାଟ୍ ଜାତୀୟ ମୁଦ୍ରିକରଣ ପାଇପ୍ ଲାଇନ୍କୁ ବାତିଲ କରିବା, ବିଦୁ୍ୟତ୍ ସଂଶୋଧନ ବିଲ୍ ୨୦୨୩କୁ ବାତିଲ କରିବା ଓ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଦୈନିକ କର୍ମ ସମୟ ବୃଦ୍ଧି ନକରି – ଦୈନିକ ୮ଘଣ୍ଟା ଓ ସପ୍ତାହକୁ ୪୮ଘଣ୍ଟା କର୍ମ ଦିବସ ନିଶ୍ଚିତ କରିବା, ସ୍ଥାୟୀ କର୍ମ ସଂସ୍ଥାନରେ ନିଯୁକ୍ତି ଲୋକଙ୍କ ସଂଖ୍ୟା ବ୍ୟାପକ ହ୍ରାସ ବନ୍ଦ କରିବା, କର୍ମ·ରୀ ସ୍ୱାର୍ଥ ବିରୋଧୀ ଜାତୀୟ ପେନ୍ସନ୍ ଯୋଜନା / ୟୁନିଫାଏଡ୍ ପେନ୍ସନ୍ ଯୋଜନା ପ୍ରତ୍ୟାହାର କରି କୌଣସି ପ୍ରାକ୍ ସର୍ତ୍ତ ବିନା ସମସ୍ତ ପେନ୍ସନ୍ଧାରୀଙ୍କ ପାଇଁ ମୂଲ୍ୟସୂଚୀ ସହିତ ଯୁକ୍ତ ପୁରୁଣା ପେନ୍ସନ୍ ଯୋଜନା ପ୍ରଚଳନ କରିବା, ସ୍ଥାୟୀ କାମର ଠିକାକରଣ ଓ ସାମୟିକ ନିଯୁକ୍ତି ବନ୍ଦ କରିବା, ଫିକ୍ସଡ୍ ଟର୍ମ ଏମ୍ପ୍ଲୋୟମେଣ୍ଟ ଜରିଆରେ ଶ୍ରମିକମାନଙ୍କୁ ମନଇଚ୍ଛା କାମରୁ ବାହାର କରିଦେବା ବ୍ୟବସ୍ଥା ବାତିଲ କରିବା, ସମସ୍ତ ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମ·ରୀ ଭାବେ ସ୍ଥାୟୀ କରିବା ଓ ସେମାନଙ୍କୁ ସମସ୍ତ ଆଇନ୍ଗତ ସୁବିଧା ପ୍ରଦାନ କରିବା, ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ନିରାପତ୍ତା ପ୍ରଦାନ କରିବା ଏବଂ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରି ସେମାନଙ୍କର ସାମାଜିକ ସୁରକ୍ଷା, ନିରାପତ୍ତା ସହାୟତା ପ୍ରଦାନକୁ ନିଶ୍ଚିତ କରିବା, ପ୍ଲାଟଫର୍ମ ଓ ଗିଗ୍ ଶ୍ରମିକ ମାନଙ୍କୁ ଶ୍ରମିକ ଭାବରେ ସ୍ୱୀକୃତି ଦେଇ ସେମାନଙ୍କ ପାଇଁ ସମସ୍ତ ଶ୍ରମ ଆଇନ୍ ଲାଗୁ କରିବା, ସମସ୍ତଙ୍କ ପାଇଁ କାମ କରିବାର ଅଧିକାରକୁ ମୌଳିକ ସାମ୍ବିଧାନିକ ଅଧିକାରରେ ପରିଣତ କରିବା, ସମସ୍ତ ବେକାରୀଙ୍କୁ କାମ ଯୋଗାଇଦେବା – କାମ ନମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ଯଥେଷ୍ଟ ପରିମାଣରେ ବେକାରୀ ଭତ୍ତା ପ୍ରଦାନ କରିବା, ଶ୍ରମିକମାନଙ୍କ ପାଇଁ ଟ୍ରେଡ୍ ୟୁନିୟନ୍ ଓ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା, ଶ୍ରମଜୀବୀ ଜନସାଧାରଣ ନିଜ ଜୀବନ ଜୀବିକା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା, ଖାଦ୍ୟ ସାମଗ୍ରୀ, ଔଷଧ, ପେଟ୍ରୋଲ ଜାତୀୟ ଦ୍ରବ୍ୟ ସମେତ ସମସ୍ତ ଖାଉଟି ସାମଗ୍ରୀର ଦର ହ୍ରାସ କରିବା ଆଦି ଜ୍ୱଳନ୍ତ ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ହେବାକୁ ଥିବା ଦେଶବ୍ୟାପୀ ସାଧାରଣ ଧର୍ମଘଟ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦ ମେ’ ପରିବର୍ତ୍ତେ ୯ ଜୁଲାଇ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ, ଅନୁଗୁଳ ଜିଲ୍ଲା ପକ୍ଷରୁ ନାଲକୋନଗରସ୍ଥିତ ନାଲକୋ ଏମ୍ପ୍ଲୋୟିଜ୍ ସଂଘ (ଏନ୍.ଇ.ଏସ୍) କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇ.ଏନ୍.ଟି.ୟୁ.ସି. ରାଜ୍ୟ ଯୁଗ୍ମ ସମ୍ପାଦକ ନିର୍ମଳ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ କାଶ୍ଳୀରର ପହଲଗାମ୍ ଠାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ ଏକ ମିନିଟ ନିରବତା ପାଳନ କରାଯାଇଥିଲା । ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦ ମେ’ ସାଧାରଣ ଧର୍ମଘଟ ପରିବର୍ତ୍ତେ ରାଜ୍ୟ ରାଜଧାନୀ, ସମସ୍ତ ଜିଲ୍ଲା ଓ କଳକାରଖାନା ସମ୍ମୁଖରେ ଶ୍ରମିକ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ଅନୁଗୁଳ ଜିଲ୍ଲା ପକ୍ଷରୁ ଶ୍ରମକୋଡ୍ ବାତିଲ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା ତଥା ଅନ୍ୟାନ୍ୟ ନ୍ୟାୟ ସଙ୍ଗତ ଦାବି ସହିତ କଣିହାଁ ବ୍ଲକର ଲୁଧାଝରି ଗାଁର ସୁଭଦ୍ରା ପଦିଲିଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ଦାବିରେ ୨୦ମେ’ରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକ ବିକ୍ଷୋଭ ସହତ ନାଲକୋ ମେନ୍ଗେଟ୍ ସମ୍ମୁଖରେ ପ୍ରତିବାଦ ସଭା କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଆଇ.ଏନ୍.ଟି.ୟୁ.ସି.ର ରାଜ୍ୟ ଯୁବ ସଭାପତି ପ୍ରକାଶ ବେହେରା, ମନୋଜ କୁମାର ସ୍ୱାଇଁ, ଏଚ୍.ଏମ୍.ଏସ୍. ରାଜ୍ୟ ସମ୍ପାଦକ ମାଙ୍ଗିଲାଲ ସାମଲ, ଜିଲ୍ଲା କର୍ମକର୍ତ୍ତା ବାବୁଲା ସାହୁ, ଶରତ ଚନ୍ଦ୍ର ବେହେରା, ଭୀମସେନ ସାହୁ, ସି.ଆଇ.ଟି.ୟୁ. ରାଜ୍ୟ ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡକ୍ଟର ଉପେନ୍ଦ୍ର କୁମାର ଶର୍ମା, ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ଶୁକଦେବ ସିଂହ, ଏ.ଆଇ.ସି.ସି.ଟି.ୟୁ. ଜିଲ୍ଲା ସଂଗଠକ ତପନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।