Angul Khabar: ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଅଭିନ୍ନ ଅଙ୍ଗ ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର 11 ଓ 12 ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ପେଶାଲ ଅଲିମ୍ପିକ୍ସ ଭାରତ, ଓଡ଼ିଶା ଏବଂ ଜିନ୍ଦଲ ଆଶାର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା କାର୍ଯ୍ୟକ୍ରମରେ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗ ପ୍ରତିଯୋଗୀ ଏବଂ ଅନ୍ୟାନ୍ୟ ପ୍ରତିଯୋଗୀଙ୍କୁ କ୍ରୀଡାର ସ୍ୱତନ୍ତ୍ର କୌଶଳ ଓ ପ୍ରଶିକ୍ଷଣ ସମ୍ପର୍କରେ ଅବଗତ କରାଯାଇଥିଲା।
ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର ଓ ଏସିଆ ପାସିଫିକ୍ ଜାତୀୟ ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀଙ୍କ ସମେତ ଓଡିଶା ସ୍ପେଶାଲ ଅଲିମ୍ପିକ୍ସର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ସେମାନେ କ୍ରୀଡାର ଭିନ୍ନ ଭିନ୍ନ କୌଶଳ ସମ୍ପର୍କରେ ଅବଗତ କରିବା ସହିତ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟ ପାଇଁ କ୍ରୀଡା ଅଭ୍ୟାସ କେତେ ଜରୁରୀ ପ୍ରତିଯୋଗୀମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ବୋଚେ ପ୍ରତିଯୋଗିତା। ଏଥିରେ ଉଭୟ ଦିବ୍ୟାଙ୍ଗ ଏବଂ ଅନ୍ୟ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସିଏସ୍ଆର୍ ଡିଏମ୍ ତାପସ କୁମାର ମହାନ୍ତି ଏବଂ ଜିନ୍ଦଲ ଆଶାର ଥେରାପିଷ୍ଟଙ୍କ ତଦାରଖରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଏହା ସହିତ ଅଂଶଗ୍ରହଣକାରୀମାନେ ବୋଚେ, ଦୌଡ଼, ଏବଂ ସଫ୍ଟବଲ୍ ଥ୍ରୋ ସହିତ ବିଭିନ୍ନ କ୍ରୀଡ଼ାରେ ତାଲିମ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓ.ପି ଜିନ୍ଦଲ ସ୍କୁଲର ପ୍ରିନ୍ସପାଲ୍ ଶ୍ରୀ ଅଶ୍ୱିନୀ କୁମାର ସାହୁ ଏବଂ ସିଏସଆର ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ଉତ୍ସାହ ବଢାଇଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ସ୍ପେଶାଲ ଅଲିମ୍ପିକ୍ସ ଭାରତ, ଓଡିଶା ପକ୍ଷରୁ ଆଠ ଜଣ ପିଲାଙ୍କୁ ଭବିଷ୍ୟତର ସ୍ପେଶାଲ ଅଲିମ୍ପିକ୍ସ ଟ୍ରାକ ଏବଂ ଫିଲ୍ଡ ଆଥଲେଟିକ୍ ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା |
ଏହି ଭଳି କାର୍ଯ୍ୟକ୍ରମ ଜରିଆରେ ଦକ୍ଷତା ବିକାଶ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ସଶକ୍ତିକରଣ ପାଇଁ ଉଦ୍ୟମ ହୋଇଆସୁଛି | ଯାହା ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି |