Angul News: ଅନୁଗୁଳ ବ୍ଲକର ଜଙ୍ଗଲ ଅଧୁ୍ୟଷିତ ମାଣିକଯୋଡି ପଞ୍ଚାୟତରୁ ସିଟିକୋଇଲି ଏବଂ କନ୍ଧକୋଇଲି ଦେଇ ଲେମ୍ବୁତଇଳା ପର୍ଯ୍ୟନ୍ତ ସବୁଦିନିଆ ପକ୍କାରାସ୍ତା ନିର୍ମାଣ ପାଇଁ ଆଦିବାସୀ ଅଧ୍ୟୁଷିତ ଉଭୟ ଗ୍ରାମ ପକ୍ଷରୁ ଦୀର୍ଘ ୭/୮ବର୍ଷ ଧରି ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟିଗୋଚର ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ପାହାଡପର୍ବତ ଘେରା ଏହି ଗ୍ରାମଦ୍ୱୟ ସଦର ବ୍ଲକର ଦୁଇ ରାଜସ୍ୱ ଗ୍ରାମ । ରାଜତନ୍ତ୍ର ସମୟରୁ ଏହି ଗ୍ରାମଦ୍ୱୟର ଅବସ୍ଥିତି । ହାତୀ ସମେତ ବନ୍ୟଜନ୍ତୁଙ୍କ ବ୍ୟାପକ ପ୍ରଭାବ । ସରକାର ବାହାଦୂର ସିଟିକୋଇଲିରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଏଣୁ ବିଦ୍ୟାଳୟ ପାଇଁ ଜଙ୍ଗଲ ରାସ୍ତାରେ ଝରଣା ଡେଇଁ ତିନି କିଲୋମିଟର କୁନି କୁନି ପିଲାମାନଙ୍କୁ ଯିବାକୁ ହେଉଛି।
ଏଣୁ ଗମନାଗମନର ସୁବିଧା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ମିଳିତଭାବେ ଅତୀତରେ ଆନେ୍ଦାଳନ ମାଧ୍ୟମରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ତକ୍ରାଳୀନ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି । ଏପରିକି ୫-ଟି ସଚିବଙ୍କ ଅନୁଗୁଳ ଗସ୍ତ ସମୟରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ପକ୍କାରାସ୍ତା ଖଣ୍ଡେ ପାଇଁ ଲିଖିତ ଭାବେ ଜଣାଯାଇଥିଲା। କିନ୍ତୁ ପକ୍କାରାସ୍ତା ତ ଦୂରର କଥା ଏବେ କେବଳ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମ୍ନମାନର ରାସ୍ତାର କେତେକ ଅଂଶ ମରାମତି ହେଉଛି। ଯାହାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଣୁ ଆଜି ପୂର୍ବାହ୍ନରେ କନ୍ଧକୋଇଲି ଗ୍ରାମ୍ୟ କମିଟି ପକ୍ଷରୁ ସମ୍ପାଦକ ବିଜୟ ଦେହୁରୀ, ସଭାପତି ସୁରେଶ ଷଣ୍ଢ, କୁମୁଦ ପଧାନ, ନରେଶ ପଧାନ, ସୁଶାନ୍ତ ଭୋଇ ପ୍ରମୁଖ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ପକ୍କା ରାସ୍ତା ପାଇଁ ଲିଖିତ ଭାବେ ପୁନର୍ବାର ଜଣାଇବାସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଡାକ ଯୋଗେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ରାସ୍ତା ନିର୍ମାଣ କରାନଗଲେ ବାଧ୍ୟହୋଇ ଗ୍ରାମବାସୀ ପୁନର୍ବାର ଆନେ୍ଦାଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।