angul news ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି,ସବୁ କାର୍ଯ୍ୟାଳୟରେ ଦୁର୍ନୀତି ,ବିନା ଲାଞ୍ଚ ରେ କାମ ହେଉନି ସବୁ କାର୍ଯ୍ୟରେ ୫୦% ପିସି ,ଦୁର୍ନୀତି ର ଗନ୍ତାଘର ସାଜିଛି ବ୍ଲକ କାର୍ଯ୍ୟାଳୟ, ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି। ଆଗାମୀ ନଭେମ୍ବର୧୬ରୁ ୧୮ ମଧ୍ୟରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଘେରାଉ କରିବ ବିଜେପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।୨୩ ବର୍ଷର ଶାସନରେ ଓଡିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣ ରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଂଚାୟତରୁ ନେଇ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଛି । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଂଚିଛନ୍ତି ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଂଜି ।
ଦୁଇ ମାସ ତଳେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ଦଳକୁ ମିଳିଥିବା ଅଭୂତପୂର୍ବ ଜନସମର୍ଥନ ଯାହା ପ୍ରମାଣିତ କରୁଛି ଯେ, ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୁର ହୋଇ ରହିଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ ।
ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ଯେ, ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର । ଆମ ଓଡିଶା ନବୀନ ଓଡିଶାରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଂଚାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ୍ପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଘିଂଛି । କେବଳ ବଡ ବଡ କୋଠା ନିର୍ମାଣ ହେଉଛି ଓଡିଶା ବାହାରର ଠିକା ସଂସ୍ଥାକୁ ପୋଷିବା ପାଇଁ । ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି । ସାମାନ୍ୟ ଭତା, ରେସନ କାର୍ଡ, ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଂଚ ଦେବାକୁ ପଡୁଛି । ୨୦ ହଜାର ଟଙ୍କା ଲାଂଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଂଚ ନଦେଲେ ଭତା ମିଳୁନି, ୫ହଜାର ଟଙ୍କା ନଦେଲେ ରେସନ କାର୍ଡ ମିଳୁନି । ସେହିପରି ପାଇଖାନାରେ ୨ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ଆଜି ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଧାୟକ, ସାଂସଦ, ମନ୍ତ୍ରୀମାନେ ଗୁମାସ୍ତାଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତି । ଓଡିଶାରେ କ’ଣ ହେବ ନହେବ ସବୁ ନିଷ୍ପତି ନେଉଛନ୍ତି କିଛି ମୁଷ୍ଟିମେୟ ଅଫିସରମାନେ ।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୟାସ ରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓଡିଶା ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ଅନୁଗୁଳ ଜିଲ୍ଲା କୁ ୬୦ ହଜାର କୋଟି ଟଙ୍କା ମିଳିପାରିଛି। ଜନସାଧାରଣଙ୍କ ଅର୍ଥର ଦୁରୂପଯୋଗ ହୋଇଥିବାରୁ ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିଛନ୍ତି । ସିଏଜି ତଥ୍ୟ ଅନୁଯାୟୀ ଗ୍ରାମସଭା ଦ୍ୱାରା ଚୟନ କରାଯାଇଥିବା ୮ ଲକ୍ଷ ୫୯ ହଜାର ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରୁ ବେଆଇନଭାବେ ବାଦ୍ ଦିଆଯାଇଛି । ସମସ୍ତ ଯୋଗ୍ୟତା ସତ୍ୱେ ପ୍ରସ୍ତୁତ ତାଲିକାରୁ ୯୭.୫ ପ୍ରତିଶତ ଦିବ୍ୟାଙ୍ଗ ଓ ଭୂମିହୀନଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ପକ୍କାଘର ପାଇପାରିନାହାନ୍ତି । କେଉଁଠାରେ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଦର୍ଶାଯାଇଥିବା ଘର ଅସପୂର୍ଣ୍ଣ ରହିଛି ତ କେଉଁଠି ବାସଗୃହ ବଦଳରେ ଏହି ଯୋଜନାରେ ଦୋକାନ ଘର ନିର୍ମାଣ ହୋଇଛି, କେଉଁଠାରେ ଶୌଚାଳୟ, ସ୍ୱଚ୍ଛଜଳ ନାହିଁ ତ କେଉଁଠାରେ ବିଦ୍ୟୁତ ସଂଯୋଗ ନାହିଁ । ସେହିଭଳି ୫ ଲକ୍ଷ ୫୦ ହଜାର ଘର ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଫେରିଗଲା । ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ।
“ଆମ ଓଡିଶା – ନବୀନ ଓଡିଶା” ଯୋଜନା ନାମରେ ୩୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରାଯାଇଛି ସେଥିରେ ସିଧାସିଧା ୫୦ପ୍ରତିଶତ ପିସି କାରବାର ହେଉଛି । ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ଅଗଣତାନ୍ତ୍ରିକ ଭାବରେ ଜଣେ ବ୍ୟକ୍ତି ଆତ୍ମପ୍ରଚାର କରିବା ଦୁର୍ଭାଗ୍ୟଜନକ ।
୧୫ ଅଗଷ୍ଟ ୨୦୧୯ରେ ୭୫ ବର୍ଷ ଅମୃତ ମହୋତ୍ସବ ଅବକାଶରେ ମାନ୍ୟବର ପ୍ରଧାନମନ୍ତ୍ରୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ଏ ବାବଦରେ ୧୫ ହଜାର କୋଟିରୁ ଅଧିକ ଅର୍ଥ ମିଳିସାରିଛି । କିନ୍ତୁ ଦୁର୍ଭାଗ୍ୟ ଓ ପରିତାପ ର ବିଷୟ ରାଜ୍ୟ ସରକାର ଏହି ଅର୍ଥକୁ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ ନିର୍ମାଣରେ ମହାଦୁର୍ନୀତି ସ୍ପଷ୍ଟ ପ୍ରମାଣିତ । କେବଳ ଅଣଓଡିଆ ଠିକାଦାରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇଛି । କିନ୍ତୁ ନିମ୍ନମାନର କାମ ଯୋଗୁଁ ଲୋକେ ପାଣି ପାଉନାହାଁନ୍ତି । ପ୍ରତିଶ୍ରୁତି ଦେଇ ପାଳନ ନକରିବାରେ ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରତି ବ୍ଲକ୍ରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବାରେ ରାଜ୍ୟ ସରକାର ବିଫଳତାର ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି । ଅନୁଗୁଳ ଜିଲ୍ଲା ରେ ବାର୍ଷିକ ୧୦୦୦କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ମୋଦି ସରକାର ଦେଉଛନ୍ତି କିନ୍ତୁ ତାହା ଜନସାଧାରଣ ଙ୍କ ବିକାଶ କାର୍ଯ୍ୟରେ ଲାଗିବା ପରିବର୍ତେ ବିଜେଡି ର ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଠିକାଦାର ପୋଷଣ କାର୍ଯ୍ୟ ଚାଲିଛି।ମନେରଗା ରେ ବ୍ୟାପକ ଦୁର୍ନୀତି,ହାତୀ ଉପଦ୍ରବ, ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା, ଏଭଳି ବହୁ ସମସ୍ୟା ମଧ୍ୟରେ ଅନୁଗୁଳ ଜିଲ୍ଲାବାସୀ ଏକ ପ୍ରକାର ଅଣନିଶ୍ୱାସୀ ହୋଇ ପଡିଛନ୍ତି ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।ସମସ୍ତ ଦୁର୍ନୀତି କୁ ନେଇ ଆଗାମୀ ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଜିଲ୍ଲାର ସମସ୍ତ ୮ ଟି ବ୍ଲକକୁ ଘେରାଉ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଆଗାମୀ ନଭେମ୍ବର୧୬ରୁ ୧୮ ମଧ୍ୟରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଘେରାଉ କରିବ ବିଜେପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ନଭେମ୍ବର୧୬ ରେ ତାଳଚେର ବ୍ଲକ, ନଭେମ୍ବର୧୭ରେ ଅନୁଗୁଳ, ଆଠମଲ୍ଲିକ, ଛେଣ୍ଡିପଦାଓ କଣିହାଁ ବ୍ଲକ ,ନଭେମ୍ବର୧୮ରେ ବନରପାଳ,କିଶୋର ନଗର ଓ ପାଲ୍ଲଲହଡା କୁ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକାର୍ତ୍ତ ଓ ସାଧାରଣ ଜନସାଧାରଣ ଘେରାଉ କରିବେ ବୋଲି ଶ୍ରୀ ପ୍ରଧାନ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।