Spread the love

Angul News: ଢେଙ୍କାନାଳ: ଆଜି ଢେଙ୍କାନାଳରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୋଟୋକଲକୁ ଖାତିର ନକରି ଲୋକଙ୍କ ସମସ୍ୟାର କାଗଜ ଧରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦେବା ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଏକ ଶହୀଦ ସ୍ମୃତି ଫଳକର ଉନ୍ମୋଚନ କରିଥିଲେ । ସ୍କୁଲ ପରିସରରେ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ କମିଟିର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲର ଶ୍ରେଣୀଗୃହ, ପାଚେରୀ, ଶିକ୍ଷକ ଅଭାବ ଓ ପରିବେଶ ଠିକ୍ ନଥିବା କହିବା ସହ ଏକ ଅଭିଯୋଗ ପତ୍ର ଦେଇଥିଲେ ।

ଆମ ଅଞ୍ଚଳରେ ମନରେଗାର ଅନିୟମିତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିବା ନେଇ ରାଜ୍ୟ ସରକାର ପାତରଅନ୍ତର କରିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ହରେକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର ଦୂରାବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବ୍ୟଥିତ କରିଥିଲା । ଏହି କଥାକୁ ଗୁରୁତ୍ୱର ସହ ନେଇ ସେ ଭାବବିହ୍ୱଳ ହୋଇ ପଡିଥିଲେ ।

ତାଙ୍କର ନିର୍ଦ୍ଦାରିତ କାର୍ଯ୍ୟକ୍ରମର ସମୟକୁ କମ୍ କରି ତୁରନ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବା ପାଇଁ ସେ କହିଥିଲେ । ସରକାରୀ ଛୁଟି ଥିବାରୁ କେନ୍ଦ୍ରମନ୍ତ୍ରୀ ନିଜେ ଜିଲ୍ଲାପାଳଙ୍କ ବାସଭବନ ସ୍ଥିତ ଅଫିସରେ ଯାଇ ପହଞ୍ଚିଥିଲେ । ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ ସମସ୍ୟାକୁକୁ ଜିଲ୍ଲାପାଳଙ୍କ ପାଖରେ ଉଦ୍ଧୃତ କରିବା ସହ ସେମାନେ ଦେଇଥିବା ଦାବି ପତ୍ରକୁ ପ୍ରଦାନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଥିଲେ ନିଜ ପାଖକୁ ଜିଲ୍ଲାପାଳଙ୍କୁ ଡକାଇ ଏହି ବିଷୟରେ ଆଲୋଚନା କରିପାରିଥାନ୍ତେ । କିନ୍ତୁ ପ୍ରତ୍ୟକ୍ଷ ଭାବରେ ଜନସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ, ଯାହା ତାଙ୍କର ମହାନତାକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *