କେନ୍ଦୁଝର/ଯୋଡା,୩୦/୦୮: ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଲିଜ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲୋମାଇଟ, ଗୋଟିଏ ବକ୍ସାଇଟ ଖଣି ରହିଛି । ଏହି ୧୧ଟି ଖଣିର ନିଲାମ ଧରିବା ପାଇଁ ୩୮ଟି ବୃହତ୍ତ ଖଣି କମ୍ପାନି ନିଲାମ ପ୍ରକ୍ରିୟାରେ ଭାଗ ନେଉଥିବା ଜଣାପଡିଛି ।
ଜୁଲାଇ ୭ ତାରିଖରେ ଖଣି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୪ ତାରିଖରେ ଟେଣ୍ଡର ପେପର ଦାଖଲ କରିବାର ଶେଷ ତାରିଖ ରହିଥିଲା । ସେପ୍ଟେମ୍ବର ୧୬ ତାରିଖ ଦିନ ଟେଣ୍ଡର ଖୋଲାଯାଇ ନିଲାମ ଡକା ଆରମ୍ଭ ହେବ ବୋଲି ଜଣାପଡିଛି ।
କାଶିଆ ଲୌହ ଓ ଡୋଲୋମାଇଟ ଖଣି, ନଦିଡିହି ଲୌହ ଖଣି (ବିଆଇକୋ), ନଦିଡିହି ଲୌହ ମାଙ୍ଗାନିଜ ଖଣି (ଫି ଗ୍ରେଡ୍), ତେହେରାଇ ଲୌହ ଓ ମାଙ୍ଗାନିଜ ଖଣିର ଲିଜ୍ ଅବଧି ସରିଯାଇଥିବା ବେଳେ ପୁନଃ ଲିଜ୍ ପାଇଁ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ପୁରେଇବାହାଲ ଲୌହ ଖଣି, ଚାନ୍ଦିପଶି ଲୌହ ଖଣି, ଜୁମକା ପଥରିପଷି ଲୌହ ଖଣି, ଦୋଲତାପାହାର ଲୌହ ଖଣି, ନେତ୍ରବନ୍ଧ (ପଶ୍ଚିମ) ଲୌହ ଖଣି, ଗନ୍ଦଲପଦା ଲୌହ ଖଣି, କଲରାପାଟ ବକ୍ସାଇଟ ଖଣି ଭଳି ୮ଟି ନୂତନ ଖଣି ଟେଣ୍ଡର ପ୍ରକ୍ରିୟାର ପର୍ଯ୍ୟାୟଭୁକ୍ତ ରହିଛି । ଖଣି ନିଲାମ ପ୍ରକ୍ରିୟାରେ ଟାଟା, ରୁଙ୍ଗ୍ଟା, ମିତ୍ତଲ, ଆଦାନୀ, ବେଦାନ୍ତ, ଏସେଲ ମାଇନିଂ ଭଳି ବୃହତ୍ତ ଖଣି କମ୍ପାନୀମାନେ ଭାଗ ନେଉଥିବା ଜଣାପଡିଛି ।
ତେବେ ପୂର୍ବରୁ ନିଲାମ ପ୍ରକ୍ରିୟାରେ ଭାଗ ନେଇ ଖଣି ପାଇବା ପରେ ପରିଚାଳନାଗତ ଅପାରଗତାରୁ ସରକାରଙ୍କୁ ଖଣି ଫେରାଇ ଦେଇଥିବା କମ୍ପାନି ପୁନର୍ବାର ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେନି ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ନିଲାମ ପ୍ରକ୍ରିୟାରେ ଖଣି କମ୍ପାନିମାନେ ୧୫୦ ପ୍ରତିଶତରୁ ଊଦ୍ଧ୍ୱର୍ ଦରରେ ଖଣି ହାତେଇ ଖଣି ପରିଚାଳନା କରିନପାରି ସରକାରଙ୍କ ଖଣି ଫେରାଇଦେବାକୁ ବାଧ୍ୟ ହୋଇଥିଲେ ।