Spread the love

ତାଳଚେର (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି । ସର୍ବଭାରତୀୟ ଫୁଟବଲ ସଂଘ(AIFF) ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ତାଳଚେର ଏସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନନୀୟ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆହ୍ୱାନ କରିଛନ୍ତି । ସାମାଜିକ ସଂଗଠନ ସମେତ ଅନେକ ସ୍ତରରେ ଯୁବଶକ୍ତିଙ୍କ ମଧ୍ୟରେ ଖେଳୁଆଡ ମନୋଭାବକୁ ଉଜ୍ଜିବୀତ କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଆହ୍ୱାନ କ୍ରମେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ମଧ୍ୟରେ ଫୁଟବଲ କ୍ରୀଡାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ ହେଉଛି । ଗତକାଲି ଢେଙ୍କାନାଳରେ ଏହି ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚନ ହୋଇଯାଇଛି ।
ଢେଙ୍କାନାଳ ଷ୍ଟାଡିୟମ, ଅନୁଗୋଳର କଦମ ପଡିଆ, ତାଳଚେରର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ବ୍ୟତିତ ମୋଟ ୭ଟି ଫୁଟବଲ ମ୍ୟାଚ୍ ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଛି । ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବାର ଯୋଜନା ଥିବା ବେଳେ ତାଳଚେର ସହରରେ ନଭେମ୍ବର ୭ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବା ସହ ନଭେମ୍ବର ୮ରେ ଉଦଯାପନୀ ଉତ୍ସବ ସହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆୟୋଜନ କରାଯିବ । ସବ-ଡିଭିଜନାଲ ଆଥଲେଟିକ ଆସୋସିଏସନ ଓ ତାଳଚେର ଫୁଟବଲ ଆସୋସିଏସନ ଏବଂ ତାଳଚେରର ସମସ୍ତ ଫୁଟବଲ କ୍ଲବ ମାନଙ୍କୁ ସହଯୋଗ କରିବାକୁ ଆମେ ଓଡ଼ିଆ ତରଫରୁ ଅପିଲ କରାଯାଇଛି ।
ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଏହାସହ ଦେଶର ବିଶିଷ୍ଟ କ୍ରୀଡାବିତ, କଳାକାର ଓ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେବାକୁ ଯାଇ ସଂଗଠନର ସମ୍ପାଦକ ଶ୍ରୀ ପାତ୍ର କହିଛନ୍ତି ଯେ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ରେ ଘରୋଇ ଫୁଟବଲ ଟିମ ସହ ୮ଟି ରାଜ୍ୟରୁ ୮ଟି ଦଳ ଅଂଶଗ୍ରହଣ କରିବେ । ସେମାନେ ହେଲେ ଓଡ଼ିଶା ଟିମ, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ପ୍ରଭୁତି ଦଳ ଅଂଶଗ୍ରହଣ କରିବେ । ଏହାବ୍ୟତିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଅତିରିକ୍ତ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟ ସାମିଲ ହେବ ।
ନଭେମ୍ବର ୩ରେ ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶା ଟିମ୍ ଓ ମୁମ୍ବାଇର କେନକ୍ରେ ଏଫସି ମଧ୍ୟରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ସେହି ଠାରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଓ କେରଳର ଗୋକୁଲମ କେରଳ ଏଫସି ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ନଭେମ୍ବର ୪ରେ ଅନୁଗୋଳର କଦମ ପଡିଆରେ ମଣିପୁରର ଶ୍ରୀନିଧି ଡେକାନ ଏଫସି ଏବଂ ଦିଲ୍ଲୀର ଦିଲ୍ଲୀ ଏଫସି ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ଓ ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି ଏବଂ ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ନଭେମ୍ବର ୬ରେ କଦମ ପଡିଆରେ କ୍ୱାଟର ଫାଇନାଲରେ ବିଜୟୀ ୪ଟି ଟିମ୍ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ନଭେମ୍ବର ୭ରେ ତାଳଚେରର ଏମସିଏଲ ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଅତିରିକ୍ତ ଟିମ୍ ଆସାମର ବୋଦୋ ଲ୍ୟାଣ୍ଡ ସହ ସେମିଫାଇନାଲ ମ୍ୟାଚରେ ପରାଜୟ ଟିମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବ । ଶେଷରେ ନଭେମ୍ବର ୮ରେ ତାଳଚେରର ଏମସିଏଲ ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଉଦଯାପନୀ ସମାରୋହ ସହ ଫାଇନାଲ ମ୍ୟାଚ୍ ଖେଳାଯିବ ।
ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ସମ୍ମାନାର୍ଥେ ସଂଗଠନ ପକ୍ଷରୁ ଏହି ଉଦ୍ୟମ କରାଯାଇଛି । ଜିଲ୍ଲା ଆଥଲେଟିକ ଆସୋସିସନ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟକୁ ସୁଚାରୂରୂପେ ଆୟୋଜନ କରିବା ପାଇଁ ଆମେ ଓଡ଼ିଆ ପକ୍ଷରୁ ପ୍ରୟାସ କରାଯାଉଛି । ଏହି କାମରେ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ା କ୍ଲବ ଓ କ୍ରୀଡା ପ୍ରେମୀମାନେ ମଧ୍ୟ ସହଯୋଗୀ ହୋଇଛନ୍ତି । ଅନୁଗୋଳ ଓ ତାଳଚେରରେ ଫୁଟବଲ ପ୍ରେମୀ ଓ କ୍ରୀଡାରେ ରୁଚି ରଖିଥିବା ଯୁବଶକ୍ତିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଫୁଟବଲ ସଂଘର ଚୟନକର୍ତ୍ତା ରଞ୍ଜିତ୍ ଇଗନାଟିଅସ ଟିଗା, କାର୍ଯ୍ୟକ୍ରମର ଉପଦେଷ୍ଟା ବିଶ୍ୱଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *