Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ପୂର୍ବାହ୍ନ ସାଢେ୧୦ଘଟିକା ସମୟରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦେଶରେ ସରକାରଙ୍କର ଦର ବୃଦ୍ଧି ରୋକିବା ପାଇଁ କୌଣସି ପ୍ରକାର ଉଦ୍ୟମ ନାହିଁ, ଫଳରେ ଦରବୃଦ୍ଧି ପ୍ରତ୍ୟେକ ଜନତାକୁ ପ୍ରତ୍ୟକ୍ଷ ଭାବେ ବାଧିଛି। ଗରୀବ ଖଟିଖିଆ ଜନତାର ଜଳଖିଆ ଭାବେ ପରିଚିତ ଚୂଡା ଓ ମୁଢିରେ ଜିଏସଟି ଲଗାଇ ଅହେତୁକ ଦରବୃଦ୍ଧି କରାଯାଇଛି। ସରକାର ଜାଣିଶୁଣି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା ଏଥରୁ ସ୍ପଷ୍ଟ ପ୍ରମାଣିତ। ଦେଶର ଆର୍ଥିକ ସ୍ଥିତି ମଜଭୁତ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଉଥିବା ବେଳେ, ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର କୌଣସି ପ୍ରକାର ଠୋସ ପଦକ୍ଷେପ ନେଉ ନାହାଁନ୍ତି, ଫଳରେ ଏହାର କୁପରିଣାମ ସାଧାରଣ ଜନତା ଭୋଗୁଛନ୍ତି, ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସମୟ ନ ଦେଇ ବିଭିନ୍ନ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ସହ ନିର୍ବାଚନ ଓ ଆତ୍ମପ୍ରଚାରରେ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛି। ଯେ କେନ୍ଦ୍ର ସରକାର ବିରୁଦ୍ଧରେ ମୁହଁ ଖୋଲୁଛି,ତା ବିରୁଦ୍ଧରେ ଇଡି, ସିବିଆଇ ଦ୍ବାରା ଦମନ କରାଯାଉଛି। ଆଜିର ବିକ୍ଷୋଭରେ ଏଭଳି ଏକଛତ୍ରବାଦୀ ସରକାରକୁ ଜନ ସାଧାରଣ ଉଚିତ ଜବାବ ଦେବା ପାଇଁ ନିବେଦନ କରିଥିଲେ। ଆଜି ପୂର୍ବାହ୍ନରେ ଶହ ଶହ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଅଣାୟତ୍ତ ହେବାରୁ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସେମାନଙ୍କୁ ବ୍ୟକ୍ତିଗତ ମୂଚାଲିକାରେ ଛାଡି ଦିଆଯାଇଥିଲା। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ସମସ୍ତ ଜିଲ୍ଲା କର୍ମକର୍ତ୍ତା, ସମସ୍ତ ଛାମୁଆଁ ସଙ୍ଗଠନର କର୍ମକର୍ତ୍ତା, ସମସ୍ତ ବ୍ଲକ କଂଗ୍ରେସ ସଭାପତି ଓ କର୍ମକର୍ତ୍ତା, ଛାତ୍ର, ଯୁବ, ମହିଳା, ସବାଦଳ ଓ ସମସ୍ତ ସେଲର କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *