ଅନୁଗୁଳ: ଆଜି କେନ୍ଦ୍ର ସରକାର ଯେଉଁ ସ୍କିଲ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତର ସ୍ବପ୍ନ ଏବଂ ଲକ୍ଷ୍ୟ ନେଇ ଆଗଭର ଅଛନ୍ତି, କେଇ ଦଶନ୍ଧି ତଳେ ଅନୁଗୁଳ ଜିଲ୍ଲାର ‘ଜୀବନ ବିଦ୍ୟାଳୟ’ ଥିଲା ତାହାର ଏକ ଚାକ୍ଷୁସ ପ୍ରମାଣ। ପାଠଶାଳାର ସୀମା ସରହଦ ଡେଇଁ ଜୀବନକୁ କେମିତି ସୁନ୍ଦର ଗଢ଼ି ହେବ, ନିଜ ବୋଝ ନିଜେ ବୋହି ବିଦ୍ୟାର୍ଥୀ ସମାଜରେ ବାଟ ଚାଲିପାରିେବ ଏବଂ ଗଁାକୁ ନିଜର କର୍ମକ୍ଷେତ୍ର କରିପାରିବେ; ସେ ସମ୍ପର୍କରେ ଶିକ୍ଷା ଗ୍ରହଣ କରୁଥିଲେ। ମାତ୍ର, ଏପର୍ଯ୍ୟନ୍ତ ସୁଦ୍ଧା ସରକାରଙ୍କର ଏହାଉପରେ ଦୃଷ୍ଟି ପଡ଼ିନାହିଁ। କେନ୍ଦ୍ରର ନୂତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମମାଟି ଅନୁଗୁଳ ହୋଇଥିବାରୁ ‘ ଜୀବନ ବିଦ୍ୟାଳୟ’ ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।
ବିଦ୍ୟାର୍ଥୀଙ୍କ ଜୀବନରେ ଜୀବନ ଭରୁଥିବା ଶିକ୍ଷାନୁଷ୍ଠାନ ଥିଲା ଜୀବନ ବିଦ୍ୟାଳୟ। ସେତେବେଳେ, ଗାନ୍ଧିଜୀଙ୍କ ପରିକଳ୍ପିତ ନୟୀତାଲିମ୍ ପାଇଁ ଓଡ଼ିଶାରେ ଅନେକ ଗୁଡ଼ିଏ ମୌଳିକ ଏବ˚ ଉଚ୍ଚ ମୌଳିକ ବିଦ୍ୟାଳୟ ରହିଥିଲା। ଏହି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଯଦିଓ ମିଳୁଥିଲା, କିନ୍ତୁ ଉଚ୍ଚଶିକ୍ଷା ପାଇଁ ଓଡ଼ିଶାରେ କୌଣସି ବ୍ୟବସ୍ଥା ନ ଥିଲା। ଉଚ୍ଚଶିକ୍ଷା ପାଇଁ ଉତ୍ତର ମୌଳିକ ବିଦ୍ୟାଳୟ (ପୋଷ୍ଟ ବେସିକ୍ ସ୍କୁଲ) ଦରକାର ଥିଲା। ଓଡ଼ିଶାରେ ଏହି ସ୍କୁଲ ନ ଥିବାରୁ ବିଦ୍ୟାର୍ଥୀମାନେ ମହାରାଷ୍ଟ୍ର ଵାର୍ଧା ନିକଟସ୍ଥ ସେବାଗ୍ରାମ, ବିହାରର କୁମାରବାଗକୁ ପଢ଼ିବାକୁ ଯାଉଥିଲେ। ତେଣୁ ଓଡ଼ିଶାରେ ଏକ ଉତ୍ତର ମୌଳିକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ସେତେବେଳେ ସ୍ବାଧୀନତା ସ˚ଗ୍ରାମୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଅଣ୍ଟା ଭିଡ଼ିଥିଲେ। ସେଥିପାଇଁ ଖୋଜା ପଡ଼ିଥିଲା ପ୍ରାକୃତିକ ପରିବେଶରେ ଥିବା ଏକ ଶାନ୍ତ ଅଞ୍ଚଳ। ଅନୁଗୁଳ, ଢେଙ୍କାନାଳ ଓ ତାଳଚେରରେ ଯଦିଓ ଏଥିପାଇଁ ଜମି ମିଳିଥିଲା, କିନ୍ତୁ ଅନୁଗୁଳଠାରୁ ୧୨କିଲୋମିଟର ଦୂର ଘଞ୍ଚ ଅରଣ୍ୟ ବେଷ୍ଟିତ ଚମ୍ପତ୍ତିମୁଣ୍ତାକୁ ପାଠଶାଳା କରିବାକୁ ସର୍ବସମ୍ମତି କ୍ରମେ ଚିହ୍ନଟ କରାଯାଇଥିଲା। ଏଠାକୁ ପଢ଼ିବାକୁ ଆସୁଥିବା ବିଦ୍ୟାର୍ଥୀମାନେ ଘରୁ ସାଥୀରେ ଆଣିଥିବା କଟୁରିରେ ଜଙ୍ଗଲ ସଫା କରି ନିଜ ପାଇଁ ଶ୍ରେଣୀ ଗୃହ ଗଢ଼ିଥିଲେ। ଆଜି କେନ୍ଦ୍ର ସରକାର ଯେଉଁ ଆତ୍ମନିର୍ଭର କଥା କହୁଛନ୍ତି, ସେତେବେଳେ ଜୀବନ ବିଦ୍ୟାଳୟ ଏହିଭଳି ତାଲିମ୍ ଦେଉଥିଲା। ଚରଖାରେ ସୂତାକାଟିବାଠାରୁ ଆରମ୍ଭ କରି ଜଙ୍ଗଲ ଜମିରେ ନିଜେ ଚାଷ କରିବା, ଖଜୁରିରୁ ଗୁଡ଼ ତିଆରି କରିବା ଆଦି ଜୀବନ ବଞ୍ଚିବାର କୌଶଳ ଶିଖୁଥିଲେ। ୧୯୫୪ମସିହା ଅଗଷ୍ଟ ମାସ ଛବିଶ ତାରିଖ ଦିନ ସର୍ବୋଦୟ ନେତା ଧୀରେନ ମଜୁମ୍ଦାରଙ୍କ ହାତରେ ବିଦ୍ୟାଳୟ ଉଦ୍ଘାଟିତ ହୋଇଥିଲା। ଡେନ୍ମାର୍କ ଫେରନ୍ତା ଶିକ୍ଷାବିତ୍ ଚିତ୍ତରଞ୍ଜନ ଦାସ ଏହାର ନେତୃତ୍ବ ନେଲେ। ଜଙ୍ଗଲ ଜମିକୁ ଜଙ୍ଗଲ ବିଦ୍ୟାଳୟ ଭାବେ ଗଢ଼ି ତୋଳିଲେ।
ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ମୌଳିକ ଶିକ୍ଷାନୀତି, ବିଶ୍ବକବି ରବୀନ୍ଦ୍ରନାଥଙ୍କ ଶାନ୍ତି ନିକେତନର ଜୀବନ ଧର୍ମୀଶିକ୍ଷା, ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷା ଦର୍ଶନ ସହିତ ପାଶ୍ଚାତ୍ୟ ଦେଶର ବିଶିଷ୍ଟ ଶିକ୍ଷାନୀତିର ଫେଣ୍ଟାଫେଣ୍ଟିରୁ ନିର୍ଗତ ସାର ଜୀବନ ବିଦ୍ୟାଳୟର ମେରୁଦଣ୍ତ ସାଜିଥିଲା। ବେଶ୍ ଚର୍ଚ୍ଚିତ ହୋଇ ରାଜ୍ୟବାସୀଙ୍କ ଦୃଷ୍ଟିକୁ ଆସିଥିଲା ଚମ୍ପତ୍ତିମୁଣ୍ଡାର ଏ ବିଦ୍ୟାଳୟ। ସତ୍ୟବାଦୀ ବନ ବିଦ୍ୟାଳୟଠାରୁ କୌଣସି ଗୁଣରେ କମ୍ ନ ଥିଲା ଜୀବନ ବିଦ୍ୟାଳୟ। ଚମ୍ପତ୍ତିମୁଣ୍ତାର ଏହି ଐତିହ୍ୟ ସମ୍ପନ୍ନ ଜୀବନ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ହେଉଛି କେବଳ ତାର ବାଡ଼ ଘେରା ଜମି ଖଣ୍ତିକରେ କେତେ ବଖରା ଟାଇଲି ଛପର ଏବ˚ କୋଠାଘର। ଚମ୍ପତ୍ତିମୁଣ୍ତା ବେସିକ୍ ସ୍କୁଲ ନାଁରେ ଅନୁଷ୍ଠାନଟି ବଞ୍ଚି ରହିଛି ସିନା, କିନ୍ତୁ ମୌଳିକ ଶିକ୍ଷା କେବେଠୁ ସର୍ବନାଶ କରାଯାଇଛି। ଆଜି ଯେବେ ଦେଶରେ ଧନ୍ଦାମୂଳକ ଶିକ୍ଷାର ସମୟ ଫେରିଛି, ସେତେବେଳେ ଜୀବନ ବିଦ୍ୟାଳୟ କଥା ସ୍ବତଃ ମନେପଡ଼ୁଛି। ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଏ ଜୀବନ ବିଦ୍ୟାଳୟକୁ ଗ୍ରାମୀଣ ବିଶ୍ବବିଦ୍ୟାଳୟ କରିବାକୁ ସ୍ବପ୍ନ ଦେଖିଥିଲେ। ଅନୁଗୁଳ ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ମନ୍ତ୍ରାଳୟର ଭାର ସମ୍ଭାଳିଥିବା ବେଳେ ‘ଜୀବନ ବିଦ୍ୟାଳୟ’କୁ ଜୀବନ୍ତ ରଖିବା ପାଇଁ ଏଠାରେ ଗ୍ରାମୀଣ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲ ଆଶା ପ୍ରକାଶ କରିଛନ୍ତି।