ବଲାଙ୍ଗୀର(ସୁବ୍ରତ ପଟ୍ଟନାୟକ): ପାଟଣାଗଡ଼ ଅନ୍ତର୍ଗତ ବାଲିପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏକ ପରିତ୍ୟକ୍ତ ଗଛ ହୁଙ୍କା ଭିତରେ ରହୁଛନ୍ତି ଜଣେ ବୟସ୍କା ମହିଳା । ଦିନେ କି ଦୁଇ ଦିନ ନୁହେଁ ବରଂ ପାଖାପାଖି ନଅ ବର୍ଷ ହେବ ଏଭଳି ଅଭାବନୀୟ ଅବସ୍ଥାରେ ରହୁଛନ୍ତି ସମ୍ପୃକ୍ତା ମହିଳା । ତାଙ୍କ ନାଁ କଣ୍ଠଦେଇ ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି ସତୁରୀ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ର ରକ୍ତ ସମ୍ପର୍କୀୟ ବିଶେଷ ଭାବେ ବିବାହିତ ଝିଅ ନିଜ ସ୍ୱଶ୍ୱର ଘରେ ରହୁଛନ୍ତି । ସମ୍ଭବତଃ ତାଙ୍କ ସ୍ବାମୀ ଅନ୍ୟତ୍ର ଚାଲି ଯିବା ପରେ କଣ୍ଠଦେୟି ସେହି ଦିନ ଠାରୁ ସେଠାରେ ଆଶ୍ରୟ ନେଇଥିବା କୁହାଯାଇଛି । ଆଶ୍ରୟ ସ୍ଥଳ କହିଲେ ଗଛ କୋରଡ ସହ ଖଜୁରୀ ଗଛ ର ପତ୍ର ଓ କିଛି ଜରି ଵସ୍ଥା ପାଲଟିଛି ଏହାର ଛାତ । ଆଉ ତାହାରି ଭିତରେ ସମ୍ପୃକ୍ତା ବୟସ୍କା ଙ୍କ ଜୀବନଚର୍ଯ୍ୟା । କଣ୍ଠଦେଇ ମାସିକ ଛଅ ଶହ ଟଙ୍କା ସହ ମାସକୁ ଦଶ କେଜି ଚାଉଳ ସରକାରୀ ଯୋଜନାରେ ପାଉଛନ୍ତି । ସେପଟେ କଣ୍ଠଦେଇ ଙ୍କ ସମ୍ପର୍କରେ ସୂଚନା ପାଇବା ପରେ ଉଭୟ ପଞ୍ଚାୟତ ଓ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି । କଣ୍ଠଦେଇ ସାମାନ୍ୟ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ସହ ଏକ ବୃଦ୍ଧାଶ୍ରମ ରେ ତାଙ୍କର ରହିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଥିବା ସୂଚନା ମିଳିଛି ।