Spread the love

ଭୁବନେଶ୍ବର,୧୦/୧୦: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ’ରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିବା ପରେ ତାଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ୧୫ ଦିନ ଲାଗି ସିଲ୍ କରାଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନାଁ’ଆରେ କୋଭିଡ୍ ଯୋଦ୍ଧା ଜଣକ ଅଭିଯୋଗ ଆଣିଥିଲେ ଯେ ତାଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପନ୍ନ କରୁଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି ଜଣାଇ ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ଠାରେ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିବା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ କୋର୍ଟକୁ ଯାଇଛି । ଏଥର ଅପରାଜିତାଙ୍କ ବିରୋଧରେ ଉଁ କି ଚୁଁ କିଛି ବି ନ କହି ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ସମ୍ପର୍କରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତକାଲି ଏ ସଂକ୍ରାନ୍ତରେ ଏକ ଦୁଇ ପୃଷ୍ଠାର ଲମ୍ବା ଚିଠି ଲେଖି ଆଶା କରିଛନ୍ତି ଯେ ଶ୍ରୀ ରାୟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗଟିକୁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ଓ ଭୁବନେଶ୍ଵର ଲୋକଙ୍କ ଜୀବନକୁ ବିପଦକୁ ନ ଠେଲିବା ପାଇଁ ସେମାନେ ଅବଶ୍ୟ ପରାମର୍ଶ ଦେବେ ।

ଚିଠିରେ ଶ୍ରୀ ମିଶ୍ର କହିଛନ୍ତି, ୮ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳନ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି ଯେ ସାଂସଦ ଓ ଶତାଧିକ ମହିଳା ଯେଉଁମାନେ ମାସ୍କ ପିନ୍ଧି ନାହାଁନ୍ତି (କେବଳ ଜଣେ ମାସ୍କ ପରିଧାନ କରିଛନ୍ତି) ଓ କୋଭିଡ୍ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ସାଂସଦଙ୍କ ଜନ୍ମୋତ୍ସବ ପାଳନରେ ମସଗୁଲ୍ ଥିଲେ ।

ଅନ୍ୟପକ୍ଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ସିଲ୍ ହୋଇଥିବା ଅଫିସ୍ ସମ୍ମୁଖରେ ବସି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଭାବବିହ୍ଵଳ ହୋଇ ମହିଳାଙ୍କ ସହ ମିଶିଯାଇଥିଲି । ଅତିଥିମାନଙ୍କୁ ଉତ୍ସାହିତ କରିବାକୁ ମାତ୍ର ଦୁଇ ମିନିଟ୍ ମାସ୍କ ଖସାଇ ନାଚିଥିଲି । ଜନ୍ମଦିନ ଉତ୍ସବ ଥିବାକୁ ୨ ମିନିଟ୍ ଲୋକଙ୍କ ଗହଣରେ ଥିଲି । ପରିସ୍ଥିତିରେ ପଡି ଏପରି କରିଥିଲି । ମୁଁ କୌଣସି କୋଭିଡ୍ ନିୟମ ଉଲ୍ଲଂଘନ କରିନାହିଁ ବୋଲି ଅପରାଜିତା କହିଥିଲେ । ଏତେ ଭିଡ ଥିଲା ଯେ ଅନ୍ୟମାନଙ୍କୁ ମାସ୍କ ପିନ୍ଧିବାକୁ କିମ୍ବା ସାମାଜିକ ଦୂରତା ରକ୍ଷା କରିବା କଥା କହିପାରିନଥିଲି । ଲୋକଙ୍କ ଆଶୀର୍ବାଦରେ ସାଂସଦ ହୋଇଛି । ଲୋକଙ୍କ ପାଇଁ କାମ କରୁଛି ଓ ଲୋକଙ୍କ ସହଯୋଗ ମିଳୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମ୍ଭାନ୍ଧୀୟ ନିୟମାବଳୀ । ଆମେ ସମସ୍ତେ ତାହାକୁ ପାଳନ କରିବା ଉଚିତ । ଆକ୍ରୋଶମୂଳକ ଭାବେ ଅଫିସ୍ ସିଲ୍ କରାନଯାଉ । ଏହି ଅବସରରେ ବିଜେଡି ଅଫିସ୍ କେବେ ସିଲ୍ ହେବ ବୋଲି ଅପରାଜିତା ଓଲଟା ପ୍ରଶ୍ନ କହିଛନ୍ତି । କୋଭିଡ୍ ନିୟମ ଉଲ୍ଲଂଘନ ନେଇ ଫଟୋ ଦେଖାଇଛନ୍ତି ଅପରାଜିତା । ୧୭ଟି ଫଟୋ ଦେଖାଇ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଅପରାଜିତା ଦେଖାଇଥିବା ଫଟୋ ଏବଂ ଫୁଟେଜରେ କ୍ଲିପ୍ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *