ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ବଣ ଜଙ୍ଗଲ ଘେରା ସହରୀ ସଭ୍ୟତା ରୁ ଢେର ଦୂର ରେ ଅବସ୍ଥିତ ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ର ପାହାଡ଼ ଉପରେ ରହିଥିବା ପବଲା ଗାଁ । ଦିନେ ଏହି ଗାଁ ଦୁର୍ନାମ ମୁଣ୍ଡାଇ ଥିଲା । କାରଣ ଥିଲା ଗାଁରେ ରହିଥିବା ପ୍ରଚୁର ଖଜୁରୀ ଗଛ ର ତାଡି ସେବନ କରି ଅଳ୍ପାୟୁ ହେଉଥିଲେ ଏଠିକାର ପୁରୁଷ । ସେମାନଙ୍କ ବୟସ ପ୍ରାୟତଃ ୪୦ ରୁ ୪୨ ମଧ୍ୟରେ ରହୁଥିଲା । କାରଣ ଏହି ତାଡି ସେବନ କରି ଅନେକ ମୃତ୍ୟୁ ବରଣ କରୁଥିଲେ । ଆଉ ସେହି କାରଣ ରୁ ପବଲା ଗାଁ କୁ ବିଧବା ଙ୍କ ଗାଁ ବୋଲି କୁହାଯାଉଥିଲା । ଆଉ ଏଭଳି ଘଟଣା ସେତେବେଳେ ଉଭୟ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଙ୍କ ମନ କୁ ବେଶ ଆନ୍ଦୋଳିତ କରିଥିଲା । ସେଥିପାଇଁ ଉଭୟ ଦମ୍ପତ୍ତି ଗ୍ରାମର ପୁରୁଷ ମାନଙ୍କ ମଧ୍ୟରେ ରହିଥିବା ଖଜୁରୀ ତାଡି ସେବନ ମନୋବୃତିରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ଉଭୟ ନବ ଓ ମାଳତୀ ଙ୍କୁ କିଛି କମ ତ୍ୟାଗ କରିବାକୁ ପଡିନଥିଲା । ଉଭୟ ସେହି ଗ୍ରାମରେ ରହିବା ସହ ଖଜୁରୀ ତାଡି କୁ ଗୁଡ଼ ରେ ପରିବର୍ତ୍ତନ କରି ଗ୍ରାମବାସୀ ଙ୍କ ଜୀବନ ଧାରାରେ ଏକ ନୂତନ ମାର୍ଗ ସୃଷ୍ଟି କରିଥିଲେ । ବଜାର ରେ ଖଜୁରୀ ଗୁଡ଼ ର ଚାହିଦା ରହିଥିବା ହେତୁ ସେଠାରେ ଉଭୟ ଦମ୍ପତ୍ତି ଙ୍କ ଉଦ୍ୟମ ରେ ପ୍ରତିଷ୍ଠା ହୋଇଥିଲା ଖଜୁରୀ ଗୁଡ଼ ସୋସାଇଟି । ଉଦେଶ୍ୟ ଥିଲା ଖଜୁରୀ ରସ ସେବନ କରି ଜୀବନ ହାରିବା ଅପେକ୍ଷା ଏହାକୁ ଗୁଡ଼ ରେ ପରିବର୍ତ୍ତନ କରି ବଜାର ରେ ବିକ୍ରି କରାଇବା ଓ ଗ୍ରାମବାସୀ ଙ୍କୁ ଆର୍ଥିକ ଦୃଷ୍ଟି କୋଣ ରୁ ସୁଦୃଢ଼ କରିବା । ଯାହା ଏକ ପ୍ରକାର ସଫଳ ମଧ୍ୟ ହୋଇଥିଲା । ସେପଟେ ଆଜି ବି ପବଲା ଗାଁରେ ମୂକସାକ୍ଷୀ ହୋଇ ରହିଛି ନବକୃଷ୍ଣ ଓ ମାଳତୀ ଦେବୀ ଙ୍କ ଉଦ୍ୟମ ରେ ପ୍ରତିଷ୍ଠା ହୋଇଥିବା ବିଶେଷ ଭାବେ ଖଜୁରୀ ଗୁଡ଼ ପ୍ରସ୍ତୁତ ପାଇଁ ନିର୍ମାଣ ହୋଇଥିବା ସେହି ସୋସାଇଟି ଗୃହ । ଯାହା ଏବେ ଗ୍ରାମବାସୀ ଙ୍କ କୋଠଘର ଭାବେ ବ୍ୟବହାର ହେଉଛି । ଅନ୍ୟପକ୍ଷରେ ନବ ଓ ମାଳତୀ ଙ୍କ ତ୍ୟାଗ ର ପ୍ରତୀକ ଭାବେ ଏହି ଗୃହ କୁ ସଂରକ୍ଷିତ କରି ରଖିବା ସହ ଏହାକୁ ଏକ ଦର୍ଶନୀୟ ସ୍ଥାନ ର ରୂପ ଦିଆଯାଇ ପାରିଲେ , ଏହା ଆଗାମୀ ପିଢ଼ି ପାଇଁ ଅନେକ ଵାର୍ତା ବହନ କରିପାରିବ ବୋଲି ଆଲୋଚନା ହୁଏ ।