Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଣିହାଁ ସମେତ ବିଭିନ୍ନ ଅଂଚଳରେ ସ୍ଥାନୀୟ ବାସୀଙ୍କୁ ଭେଟି ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ କଣିହାଁ ଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ୍ କରି ଅଂଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ କଣିହାଁ ବାଇପାସ୍ ଛକ ସ୍ଥିତ ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭକୁ ଯାଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ବୀର ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପ୍ରଜାମଣ୍ଡଳ ଭବନ ପରିସରରେ ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପରେ କଣିହାଁ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

-ନାଲମ ଠାରେ ଶ୍ରୀ ନୃସିଂହ ଦେବଙ୍କ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ
-କଣିହାଁ ବ୍ଲକର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭରେ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଲେ
-ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ତାଳଚେର ଗଡଜାତ ଆନ୍ଦୋଳନର ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାଲମ ଠାରେ ଶ୍ରୀ ନୃସିଂହ ଦେବଙ୍କ ପବିତ୍ର ଜନ୍ମୋତ୍ସବ ଅବସରରେ ଆୟୋଜିତ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ ହୋଇଥିଲେ । କୂଳ ଦେବତା ପ୍ରଭୁ ନୃସିଂହ ଦେବଙ୍କ ନିକଟରେ ଜଗତର କଲ୍ୟାଣ ଏବଂ ମାନବ ଜାତିର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଣିହାଁ ବ୍ଲକ ତାଳପଦା ଶିବ ମନ୍ଦିରରେ ବାବା ଶିଂଘେଶ୍ୱର ଏବଂ ଦୁର୍ଗାପୁରରେ ମାଆ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *