Spread the love

ପରିବାରରେ ଶାଶୂ ବୋହୂ ମଧ୍ୟରେ ତର୍କବିତର୍କ କିଛି ନୂଆ କଥା ନୁହେଁ । କିନ୍ତୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଶାଶୂଙ୍କ ମୃତ୍ୟୁ ପରେ ବୋହୂମାନେ ଶାଶୁଙ୍କ ଏକ ପ୍ରତିମା ତିଆରି କରି ପ୍ରତିଦିନ ପୂଜା କରନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସତ, ବାସ୍ତବରେ ଏହି କାହାଣୀ ଛତିଶଗଡର ବିଳାସପୁର ଜିଲ୍ଲାରେ ରହୁଥିବା ଏକ ପରିବାରର । ଏହି ପରିବାରର ବୋହୂମାନେ ନିଜ ଶାଶୂଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେମାନେ ତାଙ୍କର ଏକ ପ୍ରତିମୂର୍ତ୍ତିକୁ ମନ୍ଦିରରେ ରଖି ପ୍ରତିଦିନ ଭଗବାନଙ୍କ ପରି ତାଙ୍କର ଆଳତି କରନ୍ତି । କେବଳ ଏତିକି ନୁହେଁ ପ୍ରତି ମାସରେ ଗୋଟେଥର ମୂର୍ତ୍ତି ସମ୍ମୁଖରେ ଭଜନ କୀର୍ତ୍ତନ ମଧ୍ୟ କରନ୍ତି ।

ବାସ୍ତବରେ, ବିଳାସପୁର ଜିଲ୍ଲା ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ରତନପୁରର ଏହି ମନ୍ଦିର ୨୦୧୦ରେ ତାମ୍ବୋଲି ପରିବାରର ବୋହୂମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ସୂଚନାଯୋଗ୍ୟ ଯେ ବିଶ୍ୱ ପ୍ରସିଦ୍ଧ ମହାମାୟା ଦେବୀଙ୍କ ମନ୍ଦିର ମଧ୍ୟ ରତନପୁରରେ ଅବସ୍ଥିତ । ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ତାମ୍ବୋଲିଙ୍କ ପରିବାର ମଧ୍ୟ ସେହି ରତନପୁରରେ ରୁହନ୍ତି, ଯାହା ବର୍ତ୍ତମାନ ଅନ୍ୟ ପରିବାର ପାଇଁ ଏକ ଉଦାହରଣ ପାଲଟିଛି । ଏହି ସମଗ୍ର ପରିବାରରେ ୩୯ ଜଣ ସଦସ୍ୟ ଏବଂ ସମୁଦାୟ ୧୧ ଜଣ ବୋହୂ ଅଛନ୍ତି ଯେଉଁମାନେ ପରସ୍ପର ସହିତ ବହୁତ ଭଲପାଇବାର ସହ ରହୁଛନ୍ତି । ଏହି ବୋହୂମାନଙ୍କ ଶାଶୂ ଗୀତା ଦେବୀଙ୍କର ୨୦୧୦ରେ ମୃତ୍ୟୁ ଘଟିଥିଲା, ଯାହା ବୋହୂମାନଙ୍କୁ ବହୁତ ଦୁଃଖ ଦେଇଥିଲା । ତାଙ୍କ ଶାଶୁ ବୋହୂମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସ୍ବାଧୀନତା ଦେଉଥିଲେ । ଶାଶୁଙ୍କ ଦେହାନ୍ତ ପରେ ଯେତେବେଳେ ବୋହୂମାନେ ତାଙ୍କୁ ମନେପକାଇଲେ, ସେମାନେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ଏବଂ ପ୍ରତିଦିନ ପୂଜା କରିବା ପାଇଁ ମନସ୍ତ କଲେ ।

ଏଥି ସହିତ, ତାଙ୍କ ବୋହୂମାନଙ୍କୁ ଏକତାର ଶିକ୍ଷା ଦେଇଥିବା ଗୀତା ଦେବୀଙ୍କ ବିୟୋଗ ପରେ ମଧ୍ୟ ତାଙ୍କ ବୋହୂମାନେ ଏହାକୁ ଭୁଲି ନଥିଲେ ଏବଂ ତାଙ୍କ ସମ୍ମାନରେ ପ୍ରତିମା ବନେଇ ତାଙ୍କୁ ପୂଜା କରିବା ଆରମ୍ଭ କରିଦେଲେ ଏବଂ ଶାଶୁଙ୍କ ପ୍ରତିମୂର୍ତ୍ତିକୁ ସୁନା ଅଳଙ୍କାରରେ ମଧ୍ୟ ସଜାଇଛନ୍ତି ।

ଗୀତା ଦେବୀଙ୍କର ତିନୋଟି ବୋହୂ ଅଛନ୍ତି ଏବଂ ତାଙ୍କର ଅନେକ ଦେବରାଣୀ ମଧ୍ୟ ଅଛନ୍ତି । ସମସ୍ତେ କୁହନ୍ତି ଯେ ଗୀତା ଦେବୀ ତାଙ୍କୁ ବୋହୂ କିମ୍ବା ଦେବରାଣୀଙ୍କ ପରି ନୁହେଁ, ଭଉଣୀ ଭାବରେ ରଖୁଥିଲେ । ପ୍ରତ୍ୟେକ କାମ ବୋହୂ ଏବଂ ଦେବରାଣୀଙ୍କ ପରାମର୍ଶ ନେବା ପରେ ହିଁ କରୁଥିଲେ । ସେ ସମସ୍ତଙ୍କୁ ମିଳିମିଶି ରହିବାକୁ କହୁଥିଲେ ।

ବିଶେଷ କଥା ହେଉଛି କି ଏହି ପରିବାରର ସମସ୍ତ ବୋହୂମାନେ ବହୁତ ଶିକ୍ଷିତ ଏବଂ ସମସ୍ତେ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି । ସେ ନିଜ ଘରର ପୁରୁଷମାନଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତି ଏବଂ ହିସାବ କିତାବ ଦେଖନ୍ତି । ଶିକ୍ଷକ ପଦରୁ ଅବସର ନେବା ପରେ ଶିବ ପ୍ରସାଦ ମଧ୍ୟ ନିଜେ ଏକ ଦୋକାନ ଚଳାଉଛନ୍ତି । ଏହି ପରିବାର ପାଖରେ ଏକ ହୋଟେଲ, କିରାଣି ଦୋକାନ, ପାନ ଦୋକାନ ଏବଂ ସାବୁନ ତିଆରି କାରଖାନା ମଧ୍ୟ ଅଛି । ସେମାନଙ୍କର ପ୍ରାୟ ୨୦ ଏକର ଜମି ଅଛି ଯେଉଁଥିରେ ସମଗ୍ର ପରିବାର ଏକାଠି କାମ କରନ୍ତି । ଏମାନଙ୍କର ପ୍ରତ୍ୟେକ ସଦସ୍ୟଙ୍କ ଖାଦ୍ୟ ଗୋଟିଏ ରୋଷେଇରେ ରନ୍ଧାଯାଏ ଏବଂ ସବୁବେଳେ ସମସ୍ତ ବୋହୂ ଖୁସିରେ ଏକାଠି ରୁହନ୍ତି ।

Leave a Reply

Your email address will not be published. Required fields are marked *