ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ପୌରପରିଷଦ ର ପାଞ୍ଚ ନମ୍ବର ୱାର୍ଡର ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ହୋଇଥିବା ହତ୍ୟା ଉଦ୍ୟମ ଘଟଣା ରୁ ଉଠିଲା ପରଦା । ଖୋଦ ରଞ୍ଜିତଙ୍କ ବଡ଼ ଭାଇ ପବନ ମାଣ୍ଡୋଠିଆ ରଞ୍ଜିତଙ୍କୁ ହତ୍ୟା କରିବା ପାଇଁ ରଚିଥିଲେ ଷଡ଼ଯନ୍ତ୍ର । ଏଥିପାଇଁ କିଛି ପେଷାଦାର ଗୁଣ୍ଡାଙ୍କୁ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ସୁପାରି ଦେଇଥିବା ନେଇ ତଥ୍ୟ ପ୍ରମାଣ ପାଇବା ପରେ ଆଜି ଅନୁଗୁଳ ଥାନା ପୋଲିସ ଏହି ଘଟଣାରେ ରଞ୍ଜିତଙ୍କ ବଡ଼ ଭାଇ ପବନ ମାଣ୍ଡୋଠିଆଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପବନ ମାଣ୍ଡୋଠିଆ, ଛେଳିଆପଡାର ଭବାନୀ ଶଙ୍କର ଭଞ୍ଜ, ବଲାସିଂହା ବାଲିସାହିର ପ୍ରଦ୍ୟୁମ୍ନ ବାରିକ, ସୁଶୁଡ଼ାର ଅଜିତ କୁମାର ଦାଶ ବୋଲି ଜଣାପଡିଛି ।
ସେପଟେ ଘଟଣା ରେ ଆଉ ଦୁଇ ଜଣ ଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନେ ଫେରାର ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ତିନି ତାରିଖରେ କାଉନସିଲର ରଞ୍ଜିତ ମାଣ୍ଡୋଠିଆ ସହର ର ହରୀ ମହୁରୀ ଛକ ରେ ଥିବା ନିଜ ଦୋକାନ ରୁ ରାତି ପ୍ରାୟ ୧୦ ଟା ସମୟରେ ନିଜ ଦୁଇ ଚକିଆ ଯାନ ରେ ଘରକୁ ଫେରୁଥିବା ସମୟରେ ଗାନ୍ଧୀ ମାର୍ଗରେ ପଛପଟୁ କିଛି ଯୁବକ ତାଙ୍କୁ ମଟର ସାଇକେଲରେ ଆସି ପଛପଟୁ ଟାଙ୍କିଆରେ ଆକ୍ରମଣ କରିଥିଲେ । ଯେଉଁଥିରେ ରଞ୍ଜିତଙ୍କ କାନ୍ଧରେ ଆଘାତ ଲାଗିଥିଲା ।